-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭଞ୍ଜନଗର (ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅର୍ନ୍ତଗତ ନୂଆଗଡ଼ ପଞ୍ଚାୟତର ବଜ୍ରଗୁମା ଗ୍ରାମରେ ପୋକଶୁଙ୍ଗା ବୁଦା ମୂଳରୁ ଜଣେ ମହିଳାଙ୍କ ଦର ପୋଡ଼ା ଶବ ଗତ ୪ ତାରିଖ ଦିନ ଉଦ୍ଧାର ହୋଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପ୍ରଥମେ ହତ୍ୟା କରାଯାଇ ପରେ ପେଟ୍ରୋଲ୍ କିମ୍ବା କିରାସିନି ଢାଳି ପୋଡ଼ି ପ୍ରମାଣ ନଷ୍ଟ ଉଦ୍ୟମ ସ୍ପଷ୍ଟ ହୋଇଥିଲା। ଏନେଇ ଘଟଣାଦିନ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣାସ୍ଥଳରୁ ତଦନ୍ତ କରିବା ସହ କେସ୍ ନମ୍ବର ୩୦୦/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୀର୍ଘ ୨୦ ଦିନ ପରେ ପୁଲିସ୍ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରି ମହିଳାଙ୍କ ପରିଚୟ ଜାଣିବା ସହ ହତ୍ୟାକାରୀକୁ କାବୁ କରିବାରେ ସଫଳ ହୋଇଛି। ମୃତ ମହିଳା ଜଣକ ସୋରଡ଼ା ଥାନା ଲକ୍ଷ୍ମୀପୁର ଗ୍ରାମର ରାଜେନ୍ଦ୍ର ନାଇକଙ୍କ ସ୍ତ୍ରୀ ଅର୍ଚ୍ଚନା ନାଇକ(୨୪) ବୋଲି ପୁଲିସ୍ କହିଛି। ଅର୍ଚ୍ଚନାଙ୍କୁ ତା’ଙ୍କ ପ୍ରେମିକ ତଥା ସଂର୍ପକୀୟ ଦିଅର ସୀମାଞ୍ଚଳ ନାଇକ ହିଁ ହତ୍ୟା କରିଥିବା ଆଜି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଦୁଇ ସହଯୋଗୀ ଜଗା ନାଇକ ଏବଂ ରଞ୍ଜନ କୁମାର ଜେନାଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପରକୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ମୃତା ଅର୍ଚ୍ଚନା ବିବାହିତା ଓ ତାଙ୍କର ୨ ସନ୍ତାନ ଅଛନ୍ତି। ଅର୍ଚ୍ଚନାଙ୍କ ସହ ତାଙ୍କ ଘର ନିକଟରେ ରହୁଥିବା ସଂର୍ପକୀୟ ଦିଅର ସୀମାଞ୍ଚଳଙ୍କ ପ୍ରେମ ସଂର୍ପକ ଗଢି ଉଠିଥିଲା। ଏହା ମଧ୍ୟରେ ଉଭୟେ ଏ ବିଷୟରେ ସମସ୍ତଙ୍କୁ ଜଣାଇବା ସହ ଚଳିତ ବର୍ଷ ଏପ୍ରିଲ୍ ମାସରେ ଭୁବନେଶ୍ବର ଦେଇ ପଶ୍ଚିମବଙ୍ଗର ଦୁର୍ଗାପୁର ଚାଲି ଯାଇଥିଲେ। ସେଠାରେ ୬ ରୁ ୭ ମାସ ରହିବା ଭିତରେ ଅର୍ଚ୍ଚନା ଗର୍ଭବତୀ ହୋଇଥିଲେ। ଏ ସମୟରେ ସେ ସୀମାଞ୍ଚଳକୁ ଲୁଚାଇ ନିଜର ପୂର୍ବ ସ୍ବାମୀ ସହ କଥାବାର୍ତ୍ତା ହେବା ସହ ପିଲାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଥିଲେ। ଏ ଖବର ସୀମାଞ୍ଚଳ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଅର୍ଚ୍ଚନା ଗାଁକୁ ଫେରି ଆସିବାକୁ ଜିଦ୍ ଧରିଥିଲେ। ଏହାପରେ ଉଭୟେ ଘଟଣା ପୂର୍ବଦିନ ଆସି ପ୍ରଥମେ ଆସିକାରେ ପହଞ୍ଚି ଥିଲେ। ସେଠାରେ ପୁଣି ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ସୋରଡ଼ା ଆସିବା ବଦଳରେ ସୁରତ ଯିବା ପାଇଁ ସେମାନେ ବ୍ରହ୍ମପୁର ଯାଇଥିଲେ।
ସୁରତ ଟିକଟ ନମିଳିବାରୁ ସେମାନେ ପୁଣି ବସ୍ରେ ସୋରଡ଼ା ନିକଟ ବ୍ରାହ୍ମଣଦେଇ ଠାରେ ରାତିରେ ଓହ୍ଲାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ସୀମାଞ୍ଚଳ ସବୁ ଦିନ ପାଇଁ ଅର୍ଚ୍ଚନାଙ୍କୁ ରାସ୍ତାରୁ ହଟାଇ ଦେବା ଯୋଜନା କରିଥିଲା। ବାହାନା କରି ନିଜ ମାମୁ ପୁଅ ଭାଇ ସୁରମଣି ଗ୍ରାମର ଜଗା ଏବଂ ଭିଣୋଇ ରଞ୍ଜନକୁ ଫୋନ କରି ଡାକିଥିଲା। ସେମାନେ ଆସିବା ପରେ ସୀମାଞ୍ଚଳ ଅର୍ଚ୍ଚନା ପିନ୍ଧିଥିବା ଚୁନିରେ ହିଁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ତିନି ଜଣ ମିଶି ଅର୍ଚ୍ଚନାର ମୃତ ଦେହକୁ ବଜ୍ରଗୁମା ନିକଟସ୍ଥ ଏକ ବୁଦା ମୂଳରେ ଫୋପାଡ଼ି ଦେଇ ଘରକୁ ପଳାଇଥିଲେ। ବିଳମ୍ବିତ ରାତି ୩ ଟା ସମୟରେ ପ୍ରମାଣ ନଷ୍ଟ କରିବା ପାଇଁ ସୀମାଞ୍ଚଳ କିରାସିନି ନେଇ ଅର୍ଚ୍ଚନାଙ୍କ ଶବ ଉପରେ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ଅର୍ଚ୍ଚନାଙ୍କ ମୁହଁ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା ପୁଲିସ୍ ପକ୍ଷରେ କଷ୍ଟକର ହୋଇଥିଲା। ଏହାପରେ ଅର୍ଚ୍ଚନା ଗ୍ରାମ ଛାଡ଼ି ଯାଇଥିବା ପୁଲିସ୍ ଜାଣିବା ପରେ ସୀମାଞ୍ଚଳର ମୋବାଇଲକୁ ଟ୍ରାକ୍ କରିଥିଲା। ସୀମାଞ୍ଚଳ ଘଟଣା ଦିନ ଦୁଇ ସହଯୋଗୀ ସହ ବାରମ୍ବାର କଥାବାର୍ତ୍ତା ହେବା ଏବଂ ଘଟଣା ପରଠାରୁ ମୋବାଇଲ୍ ବନ୍ଦ ଥିବାରୁ ସୀମାଞ୍ଚଳ ଉପରେ ପୁଲିସର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା। ଦୁଇ ସହଯୋଗୀ ଜଗା ଓ ରଞ୍ଜନକୁ କାବୁ କରି ପୁଲିସ୍ ପଚରାଉଚୁରା କରିବା ପରେ ସେମାନେ ସବୁ ଘଟଣା ପୁଲିସ୍ ଆଗରେ ପ୍ରକାଶ କରିଥିଲେ। ଏହାପରେ ସୀମାଞ୍ଚଳ କେରଳରେ ଥିବା ଜାଣି ତାକୁ ପୁଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି |