-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ଖଲ୍ଲିକୋଟ (ପ୍ରେରଣା ଖବର ) : ବହୁ ଅନନ୍ତ କାଳରୁ ମାନବ ସମାଜର ସ୍ଥିତି ଓ ପ୍ରଗତିରେ ଜଙ୍ଗଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଜଣେ ବିଜ୍ଞାନ ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ବିଶ୍ଵ ଜଙ୍ଗଲ ଦିବସ ଉପଲକ୍ଷେ ପ୍ଲା କାର୍ଡ ସାହାଯ୍ୟରେ ଗାଁ ମାନଙ୍କୁ ଯାଇ ଲୋକମାନଙ୍କୁ ଜଙ୍ଗଲ ସମ୍ପଦର ପ୍ରଗତି, ନୂତନ ଜଙ୍ଗଲର ସୃଷ୍ଟି ତଥା ଗଚ୍ଛିତ ଜଙ୍ଗଲ ସମ୍ପଦର ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ବର୍ତ୍ତମାନ ମାନବ ସମାଜ ଜଙ୍ଗଲ ସମ୍ପଦକୁ ନିଜ ସୁଖ ଓ ସ୍ଵାଛନ୍ଦ୍ୟର ଅଭିବୃଦ୍ଧିରେ ନିୟୋଜିତ କରି ଆସିଛି। ସମାଜ ପ୍ରଗତିର ଦ୍ୱାହି ଦେଇ ଜଙ୍ଗଲ ସମ୍ପଦକୁ ଅହରହ ଲୁଣ୍ଠନ କରି ଆସୁଛି। ଜଙ୍ଗଲକୁ ଧ୍ଵଂସ ମୁଖକୁ ଟାଣି ନେଇ ମଣିଷ ଆଜି ନିଜକୁ ମଧ୍ୟ ଧ୍ଵଂସ ମୁଖକୁ ମଧ୍ୟ ଡାକିଆଣିଛି। ଅନିୟମିତ ବର୍ଷା, ପ୍ରଚଣ୍ଡ ରୌଦ୍ରତାପ, ବିଷାକ୍ତ ବାୟୁମଣ୍ଡଳ, ଅବକ୍ଷୟିତ ମୃତ୍ତିକା ଆବରଣ ,ନିମ୍ନଗାମୀ ଜଳସ୍ତର, କରାଳ ବନ୍ୟା, ସର୍ବଗ୍ରାସୀ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯେଉଁ କାରଣଟି ରହିଛି, ତାହା ହେଉଛି ଜଙ୍ଗଲ କ୍ଷୟ। ବିଗତ କିଛି ଦଶନ୍ଧି ଧରି ଆମ ଦେଶରେ ଓ ପୃଥିବୀରେ ଅନେକ ସ୍ଥାନରେ ଜଙ୍ଗଲର ଅବକ୍ଷୟ ଉଦବେଗଜନକ ଭାବେ ବୃଦ୍ଧି ପାଉଛି।
କ୍ରମବର୍ଦ୍ଧିଷ୍ନୁ ଜନସଂଖ୍ୟାର ସିମାହୀନ ଆବଶ୍ୟକତାକୁ ମେଣ୍ଟେଇବାକୁ ଯାଇ ଲକ୍ଷ୍ୟ ଲକ୍ଷ୍ୟ ହେକ୍ଟର ଜମି ସଫାକରି ଗଢାଯାଇଛି ନୂତନ ଗ୍ରାମ, ସହର, ଚାଷଜମି, ରାସ୍ତାଘାଟ, କଳକାରଖାନା ଓ ନଦୀବନ୍ଧ ଯୋଜନା ମଧ୍ୟ ଚାଲିଛି । ଜାଳେଣି କାଠ, ଗୃହଉପକରଣ, ଚାଷ ଉପକରଣ ଆଦି ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତ୍ୟହ ଶହ ଶହ ହେକ୍ଟର ଜମି ନିଶ୍ଚିହ୍ନ ହୋଇଯାଉଛି। ଜନସାଧାରଣଙ୍କ ଅସାବଧାନତା ଏବଂ ଦାୟିତ୍ବହୀନତା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ହେକ୍ଟର ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଯାଉଛି। ଜଙ୍ଗଲ ରାଜସ୍ବରେ ଅଭିବୃଦ୍ଧି ଆଣିବା ପାଇଁ ବହୁ ମୂଲ୍ୟବାନ ବୃକ୍ଷ କଟାଯାଉଛି। ଜଙ୍ଗଲଜାତ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଥିବାରୁ ଅନେକ ଦୃର୍ବୁତ୍ତ ସଂଗଠିତ ଭାବରେ ଏହାର ଲୁଣ୍ଠନ କରିଚାଲିଛନ୍ତି। ଏପରି ଅଭାବନୀୟ ପରିସ୍ଥିତିରେ ଜଙ୍ଗଲର ସ୍ଥିତି ଅତ୍ୟନ୍ତ ବିପନ୍ନ ଯାହା ମାନବ ସମାଜର ସ୍ଥିତି ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସଙ୍କଟଜନକ ପରିସ୍ଥିତିକୁ ମୁକାବିଲା କରିବା ପାଇଁ କିଛି ଦଶନ୍ଧି ଧରି ଜଙ୍ଗଲର ଉନ୍ନତି ପାଇଁ ବିଭିନ୍ନ ଯୋଜନା ସରକାରଙ୍କ ତତଫରୁ କାର୍ଯ୍ୟକାରୀ କରାଯାଇଅଛି।ଜଙ୍ଗଲର ସ୍ଥିତି ଓ ପ୍ରଗତିରେ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ। ଜଙ୍ଗଲ ପ୍ରତି ଜନସାଧାରଣଙ୍କ ମନରେ ରହିଥିବା ବିମୁଖତା ଓ ନକାରାତ୍ମକ ଆଭିମୂଖ୍ୟକୁ ବଦଳାଇବା ପାଇଁ ଗାଁ ଗାଁ ବୁଲି ରାଲି ସାହାଯ୍ୟରେ ସ୍ଳୋଗାନ ପ୍ରଦାନ କରି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।