-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
19-Mar-2024
ବଲାଙ୍ଗୀର, (ପ୍ରେରଣା ଖବର )
ବଲାଙ୍ଗୀର ସହରରେ ରାଜୁଡା ଅମଳରୁ ଥିବା ବିଶାଳ ପୁସ୍କରିଣୀ ମହାରାଣୀସାଗର ଚଳିତବର୍ଷ ଶୁଖିଲା ପଡିଛି । ବଲାଙ୍ଗୀର ପୌରପାଳିକା ପକ୍ଷରୁ ଏହାର ପୁନଃରୁଦ୍ଧାର କାମ କରାଯିବାକୁ ହିଡ କଟାଯାଇ ଜଳନିସ୍କାସନ କରାଯାଇଛି । ତେବେ ଏହି ବିଶାଳ ପୁସ୍କରିଣୀର ଜଳକୁ ସଂପୂର୍ଣ୍ଣ ଶୁଖାଇ ଦେବାରୁ ଆଖପାଖ ରୁଗୁଡିପଡା,ସାଗରପଡା,ତୁଳୀନଗର,ଇଚ୍ଛାପଡା ଅଞ୍ଚଳରେ ବ୍ୟାପକ ଜଳସଂକଟ ଦେଖାଦେଇଛି । ଏହି ଅଞ୍ଚଳର କୂଅଗୁଡିକର ମଧ୍ୟ ଜଳସ୍ତର କମିଯାଇଛି । ଅନେକ କୂଅ ଶୁଖିଗଲାଣି । ସେପଟେ ଯେଉଁ ଗରୀବ ଲୋକମାନେ ଏହି ପୁସ୍କରିଣୀରେ ଗାଧୋଇବା ପାଇଁ ନିର୍ଭର କରୁଥିଲେ ସେମାନେ ସମସ୍ତେ ଅସୁବିଧାରେ ରହିଛନ୍ତି । ଗତ ଦୁଇମାସ ହେଲା ମହାରାଣୀ ସାଗରର ଜଳନିସ୍କାସନ ହୋଇଛି । କିନ୍ତୁ ପଙ୍କ ଶୁଖିପାରୁନଥିବାରୁ ମେସିନ ଲଗାଇ କାମ କରାଯାଇ ପାରୁନାହିଁ । ସହରାଞ୍ଚଳ ବିକାଶ ଅମୃତ ୨.୦ ଯୋଜନାରେ ପ୍ରାୟ ୧୨କୋଟି ଟଙ୍କା ମଞ୍ଜୁର ହୋଇଛି । ସ୍ଥାନୀୟ ସ୍ୱୟଂସହାୟୀକା ଗୋଷ୍ଠୀମାନଙ୍କୁ ଏହିକାମ କରିବାକୁ ଦାୟିତ୍ୱ ଦିଆଯାଇଛି । ଏସଏଚଜି ମହିଳାମାନେ ଗତ ଏକମାସ ତଳେ କାର୍ଯ୍ୟାଦେଶ ପାଇଲେଣି । କିନ୍ତୁ କାମ ଆରମ୍ଭ କରିନାହାଁନ୍ତି । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ମହିଳାମାନେ କହିଛନ୍ତି ଯେ,ଗରୀବଲୋକମାନେ ଗାଧୋଇବାକୁ ଏହି ମହାରାଣୀସାଗର ପାଣି ଉପରେ ନିର୍ଭର କରିଆସୁଥିଲେ । ଯଦିଓ ଏହାର ପୁନଃରୁଦ୍ଧାର କର୍ାଯାଉଛି ସେହି ସମୟରେ ସାଗରର କିଛି ଅଂଶରେ ଖୋଳି ଗାତ କରିଦେଲେ ସେଠାରେ ପାଣି ଜମିଯାଆନ୍ତା । ଯାହାକି ଲୋକଙ୍କ ଗାଧୋଇବା କାମରେ ଲାଗିପାରନ୍ତା । କିନ୍ତୁ ପୌରପାଳିକା ତାହା କରାଉନାହିଁ । ସେଥିପାଇଁ ଲୋକଙ୍କର ନାହିଁ ନଥିବା ଅସୁବିଧା ହେଉଛି । ଲୋକଙ୍କର ଏହି ଦାବିକୁ ନେଇ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା କରାଇବାକୁ ନିର୍ବାହୀଅଧିକାରୀଙ୍କୁ କୁହାଯାଇଛି ବୋଲି କହିଛନ୍ତି । ସେପଟେ ପୌରପାଳିକାର ଯନ୍ତ୍ରୀ ଦାୟୀତ୍ୱରେ ଥିବା ଇଂ.ପ୍ରଶାନ୍ତ ନାଏକଙ୍କୁ ପଚାରିବାରୁ ପୋଖରୀର ପଙ୍କ ଓଦା ରହିଛି ତେଣୁ ମେସିନ ଲଗାଇ କାମ କରାଯାଇ ପାରୁନାହିଁ । ଇଚ୍ଛାପଡା ପଟେ କାମ ଆରମ୍ଭ ହୋଇଛି । ଖୁବ ଶୀଘ୍ର ଲୋକଙ୍କୁ ଦାବିକୁ ଗ୍ରହଣ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ପ୍ରକାଶ ଯେ,ବଲାଙ୍ଗୀର ସହରର ୧୨୫ ଏକର ପରିମିତ ମହାରାଣୀସାଗର ଅନେକବର୍ଷ ପର୍ଯ୍ୟନ୍ତ ଅବହେଳିତ ହୋଇପଡିରହିଥିଲା । ପୂର୍ବରୁ କ୍ଷୁଦ୍ରଜଳସେଚନ ବିଭାଗ କିଛମାତ୍ରାରେ କାମ କରାଇଥିଲା । କିନ୍ତୁ କେତେକ ଅଞ୍ଚଳ ଜବରଦଖଲକୁ ଚାଲିଯାଇଥିବା ବେଳେ ଏବେ ପ୍ରାୟ ୭୫ଏକର ଜମିରେ ପୋଖରୀଟି ରହିଛି । ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ଥିବା କଳିକେଶନାରାୟଣ ସିଂଦେଓଙ୍କ ଉଦ୍ୟମରେ ରାଜ୍ୟସରକାର ୧୨କୋଟି ଟଙ୍କାର ଅନୁଦାନ ଦେଇ ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି । ପୌରପାଳିକାର ତୁରନ୍ତ ଏନେଇ ପଦକ୍ଷେପ ନେଇ ଲୋକଙ୍କର ସୁବିଧା କରାଇବାକୁ ଜନସାଧାରଣରେ ଦାବି ହେଉଛି ।