-+91-9937148622 |
prerana_bgr@rediffmail.com |
Wednesday 1st July 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
ଦୁଃଖ ଦେଇଗଲେ ଦରଦୀ ବନ୍ଧୁ।ସମସ୍ତଙ୍କ ପାଇଁ ବଞ୍ଚୁଥିବା ମଣିଷ ଚାଲିଗଲେ ଆରପାରିକୁ
ବଲାଙ୍ଗୀର:- ମଲାବାଦ୍ୟ ଶୁଣିଲା ମାତ୍ରକେ ହାତରେ ଏକ ଲମ୍ବା ବାଉଁଶ ଧରି ଶବ ପଛରେ ଶ୍ମଶାନକୁ ଯାଇ ଶବ ଦାହ ଶେଷ ପର୍ଯ୍ୟନ୍ତ ରହି ଫେରୁଥିବା ମଣିଷ ଆଜି ନିଜେ ଶବ ହୋଇ ସବୁଦିନ ପାଇଁ ଚାଲିଗଲେ ଆରପାରିକୁ। ଜାତି ଅଜାତି ଭେଦ ଭାବକୁ ସେ ଖାତିର ନ କରି ସାମିଲ ହେଉଥିଲେ ଶବ ସଂସ୍କାର ପାଇଁ।ମଣିଷ ମୃତ୍ୟୁ ପରେ ଶବର ଜାତି ଅଜାତି ନ ଥାଏ।ଏଣୁ ଶବ ସହ ପାତରଅନ୍ତରକୁ ସେ ବିରୋଧ କରୁଥିଲେ। କର୍ମରେ ଜଣେ ବାରିକ ଥିଲେ। ଗରିବ କାରଣରୁ କେତେବେଳେ ଅନାହାର ତ କେତେବେଳେ ଅଳ୍ପାହାର ହୋଇ ଜୀବନ ବଞ୍ଚାଇ ରହିଥିଲେ।ଅନେକ ଲୋକଙ୍କୁ ରକ୍ତ ଦେଇ ତାର ହିସାବ ରଖୁ ନ ଥିଲେ।କିନ୍ତୁ ଏବେ ବାଃବାଃ ନେବା ପାଇଁ ଅନେକ ରକ୍ତ ଦେଲେ ହିସାବ ରଖୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯୁଧିଷ୍ଠିର କେବେ ମଧ୍ୟ ରକ୍ତର ହିସାବ ରଖି ନ ଥିଲେ। ବିପଦରେ କିମ୍ବା ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ସଦାସର୍ବଦା ସାହାଯ୍ୟ କରୁଥିଲେ।ମେଡିକାଲକୁ ଯାଇ ଅଖିଆ ଅପିଆ ରୋଗୀ ସହ ରହି ସେବା କରୁଥିଲେ।କିଏ ତାଙ୍କୁ ପ୍ରଶଂସା କରୁ ବା ନ କରୁ ସେ ଖାତିର ନ କରି ନିଜ କର୍ତ୍ତବ୍ୟରେ ଲାଗି ପଡୁଥିଲେ। ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବାରୁ ତାଙ୍କ ବ୍ୟବସାୟରେ ମଧ୍ୟ ବାଧା ହେଉଥିଲା।ଯୁଧିଷ୍ଠିରଙ୍କ ପରିବାର କହିଲେ ସ୍ତ୍ରୀ,ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ତାଙ୍କ ପୁଅର ୫ ଝିଅ ଏବଂ ଗୋଟିଏ ପୁଅ। ଆର୍ଥିକ ସମସ୍ୟା ଯୋଗୁଁ ନିଜ ରହୁଥିବା ଘର ଭାଙ୍ଗି ଯିବାରୁ ରହିବା ଯୋଗ୍ୟ ନ ହେବାରୁ ବାଧ୍ୟ ହୋଇ ରାସ୍ତା କଡ଼ରେ ନର୍ଦମା ନାଲ ଉପରେ କୁଡିଆ କରି ଜୀବନ ଜୀବିକା ନିର୍ବାହ କଲେ।ଅଳ୍ପ ଜାଗା ହେବାରୁ ସେ ତାଙ୍କ ଝିଅ ଘରେ ଯାଇ ରହିଲେ।ନିଜକୁ ବଡ଼ ନେତା ବୋଲାଉଥିବା ଏବଂ ରାଜ୍ୟରେ ନିଜର ପ୍ରତିପତ୍ତି ବିସ୍ତାର କରିଥିବା ନେତା ଏହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଏହି ପରିବାରର ଦୁଃଖ ଦୁର୍ଦ୍ଦଶା ଦେଖା ଯାଉ ନଥିବା
କେତେଦୂର ଯଥାର୍ଥ।ସରକାରୀ ଯୋଜନାରେ ଘର ଟିଏ ମଧ୍ୟ ପାଇବାରୁ ବଞ୍ଚିତ ହେଲେ।ଘର ଖଣ୍ଡେ ପାଇଁ ସରକାରୀ ଦପ୍ତର କୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେ।ପର ଦୁଃଖ ରେ ଦୁଃଖୀ ଥିବା ମଣିଷ ତାଙ୍କ ପରିବାର କୁ ଛାଡ଼ି ଚାଲିଗଲେ ଆରପାରିକୁ ସବୁଦିନ ପାଇଁ।ସମସ୍ତଙ୍କ ଆଖିରେ ଲୋତକ ଦେଇ ଦୁଃଖ ସାଗରରେ ଭସାଇ ଚାଲିଗଲେ ଦରଦୀ ବନ୍ଧୁ।ଆଉ ଦେଖା ହେବ ନାହିଁ ଏ ଜନମରେ।ମନରେ ନେଇଗଲେ ଅନେକ ଆଶା ଓ ଆକାଂକ୍ଷା।ତାଙ୍କ ଅମର ଆତ୍ମା ସଦଗତି ହେଉ।ଏହାହିଁ ଏହି ଲେଖାର ତାପ୍ତର୍ଯ୍ୟ।