-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମୀଣ ଅଞ୍ଚଳ ରେ ମଧ୍ୟ କଳା ପଲସର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନଦହାଡେ ଲୁଟ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମର ଲାଲୁ କୁମ୍ଭାର(୫୦) ଓ କପିଳାଭଟା ଗ୍ରାମର ହେତୁମନ ହଂସ ଦୁହେଁ ଗୋରୁ ବ୍ୟବସାୟ କାମରେ କଳାହାଣ୍ଡି ଜିଲ୍ଲାର ନର୍ଲା ନିକଟ ବାଲିପଡା ବଜାର କୁ ଯାଇଥିଲେ । ସେହି ବଜାରରେ ନିଜର ପୋଢ଼ହଲ ଗୁଡିକୁ ବିକ୍ରି କରି ୩ ଲକ୍ଷ ୧୩ ଟଙ୍କା ଏକ ଜରି ବେଗରେ ଧରି ଏକ ପିକଅପ ଗାଡ଼ିରେ ନିଜ ଗାଁ କୁ ଫେରୁଥିବାବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ ଅର୍ସାତୁଳା ନିକଟ ବଡ଼ବନ୍ଧରେ ଗାଧୋଇବା ପାଇଁ ସେଠାରେ ଗାଡି ଅଟକାଇ ଥିଲେ । ଉକ୍ତ ଟଙ୍କା ବ୍ୟାଗକୁ ଧରି ବନ୍ଧତୁଠ ଆଡ଼କୁ ଗାଧୋଇବା ପାଇଁ ଯାଉଥିବା ବେଳେ ହଠାତ ତିନି ଜଣ ଅଜଣା ବ୍ୟକ୍ତି କଳା ପଲସର ବାଇକ ରେ ପହଞ୍ଚି ଉକ୍ତ ବ୍ୟାଗ କୁ ଜୋର ଜବରଦସ୍ତ ଛଡାଇ ଜଣଙ୍କ ମୋବାଇଲ ମଧ୍ୟ ନେଇ ଟିଟିଲାଗଡ଼ ରାସ୍ତା ଅଭିମୁଖେ ଫେରାର ହୋଇ ଯାଇଥିଲେ । ବ୍ୟାଗ ଛଡ଼ାଇବା ସମୟରେ ସେମାନେ ଚାକୁଛୁରୀ ମଧ୍ୟ ଦେଖେଇ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ଏ ନେଇ ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ଆଲୋକ ବେହେରା ପ୍ରକାଶ କରିଛନ୍ତି।