-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Mar-2022
ଭୁବନେଶ୍ୱର, (ପ୍ରେରଣା ଖବର) ୟୁନିଟ-୪ ସ୍ଥିତ ମସଜିଦ ହମଦ ଠାରେ ୨୩ ମାର୍ଚ୍ଚ ପ୍ରତିଶୃତ ମସିହ ଦିବସ ଉପଲକ୍ଷେ ଏକ ଶାନ୍ତି ଓ ସଦ୍ଭାବନା ଧର୍ମସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ଅହମଦୀୟା ମୁସଲିମ ଜମାତର ସଭାପତି ମୁହମ୍ମଦ ନୁରୁଦ୍ଦିନ ଅମିନ ପୌରୋହିତ କରିଥିବା ବେଳେ ପ୍ରାରମ୍ଭରେ ହାସିମ ଅହମଦ ପବିତ୍ର କୋରାନ ପାଠ କରିଥିବା ବେଳେ ଜିଆଉଲ ହକ ଓଡ଼ିଆ ଅନୁବାଦ କରିଥିଲେ । କମାଲ ଅହମଦ ଏକ ଉର୍ଦ୍ଦୁ ସଂଗୀତ ଗାନ କରିଥିଲେ ।
ଅହମଦୀୟା ମୁସଲିମ ଜମାତ ଏକ ଆଧ୍ୟାତ୍ମିକ ଆନ୍ଦୋଳନ । ଯାହାର ସୂତ୍ରପାତ ୧୮୮୯ ମସିହା ମାର୍ଚ୍ଚ ମାସରେ ୪୦ ଜଣ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ପଞ୍ଜାବ ପ୍ରଦେଶର ଲୁଧିଆନା ଠାରେ ହୋଇଥିଲା । ଯାହା ଏବେ ୨୧୫ଟି ରାଷ୍ଟ୍ରରେ କୋଟି କୋଟି ସଂଖ୍ୟାରେ ପରିବ୍ୟାପ୍ତ ବୋଲି ନାସର ଖାଁ ଦର୍ଶାଇଛନ୍ତି । ଏହି ଧର୍ମସଭାରେ ଯୋଗଦେଇ ମୌଲାନା ଅବ୍ଦୁଲ ହଲିମ ଖାଁ କହଲେ; ଏହି ସମ୍ପ୍ରଦାୟ ପ୍ରତିଷ୍ଠା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଇସଲାମ ଧର୍ମର ଶାନ୍ତିପୂର୍ଣ୍ଣ ଶିକ୍ଷା ଓ ତା’ର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ଉପସ୍ଥାପନ କରିବା ଓ ଏହାର ମୂଳ ଲକ୍ଷ ହେଲା ମାନବ ସମାଜକୁ ଇସଲାମ ଏକ ଶାନ୍ତି ଓ ନିରାପତାର ଧର୍ମ ବୋଲି ବୁଝାଇବା ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୌଲାନା ଫଜଲ ହକ ଖାଁ କହିଲେ; ଇସଲାମ ଅହିଂସାର ଶିକ୍ଷା ଦେଇଥାଏ, ଇସଲାମ ଆଳରେ ଜେହାଦ ନାମ ନେଇ ଯେଉଁମାନେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି, ସେମାନଙ୍କ ବିକୃତ ମାନସିକତାର ଦୃଢ ପ୍ରତିବାଦ କରିବା ସହିତ ଏହା ଜଣାଇବା ଉଚିତ୍ ଯେ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ ସମଗ୍ର ମାନବ ଜାତି ପାଇଁ କରୁଣାର ପାତ୍ର ହୋଇ ଆସିଥିଲେ । ଅହମଦୀୟା ମୁସଲିମ ସଂଗଠନର ସଂସ୍ଥାପକ ହଜରତ ମିର୍ଜା ଗୁଲାମ ଅହମଦ କହିଛନ୍ତି, ମୁଁ ସବୁ ମୁସଲମାନ, ଖ୍ରୀଷ୍ଟିଆନ, ହିନ୍ଦୁ ଓ ଆର୍ଯ୍ୟ ସମାଜୀଙ୍କ ନିକଟରେ ଘୋଷଣା କରୁଛି ଯେ ଏହି ସଂସାରରେ ମୋର କେହି ଶତ୍ରୁ ନାହାନ୍ତି । ମୁଁ ମାନବ ସମାଜକୁ ଏପରି ପ୍ରେମ କରେ ଯେପରି ସନ୍ତାନକୁ ତା’ର କରୁଣାମୟୀ ମାତା, ବରଂ ତା’ ଠାରୁ ମଧ୍ୟ ଅଧିକ । ମୁଁ କେବଳ ସେହି ମିଥ୍ୟା ମତବାଦର ଶତ୍ରୁ, ଯାହା ସତ୍ୟକୁ ବିନାଶ କରେ । ମଣିଷ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ମୋର କର୍ତବ୍ୟ । ମିଥ୍ୟା, ଅନେକେଶ୍ୱରବାଦ, ଅତ୍ୟାଚାର ତଥା ପ୍ରତ୍ୟେକ ପ୍ରକାର ଅସଦାଚରଣ, ଅନ୍ୟାୟ ଓ ଦୁଃଶ୍ଚରିତ୍ର କର୍ମକୁ ଅସ୍ୱୀକାର କରିବା ମୋର ନୀତି । ଆମର ସିଦ୍ଧାନ୍ତ ସମଗ୍ର ମାନବଜାତି ପ୍ରତି ସହାନୁଭୂତି ।
ଜିଲ୍ଲାଃ ଅହମଦୀୟା ମୁସଲିମ ହ୍ୟୁମାନିଟିଫାଷ୍ଟ ସଂସ୍ଥାର ସଭାପତି ସୈଫୁର ଅହମଦ ଯୋଗଦେଇ କହିଲେ; ହଜରତ ମିର୍ଜା ଗୁଲାମ ଅହମଦ ଜଣେ ବିଶ୍ୱଗୁରୁ ଓ ବିଶ୍ୱ ସୁଧାରକ ଥିଲେ । ହଜରତ ମିର୍ଜା ଗୁଲାମ ଅହମଦ କହିଛନ୍ତି, ବର୍ତମାନ ଯୁଗରେ ମୁଁ ଈଶ୍ୱର ପ୍ରେରିତ ସୁଧାରକ ହୋଇ ଆସିବା କେବଳ ମୁସଲମାନ ମାନଙ୍କ ସଂସ୍କାର ପାଇଁ ଅଭିପ୍ରେତ ନୁହେଁ, ବରଂ ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ ଏହି ତିନି ପ୍ରମୁଖ ଧାର୍ମିକ ସମ୍ପ୍ରଦାୟର ସୁଧାର
ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି । ଯେପରି ଅଲ୍ଲାଃ ମୋତେ ମୁସଲମାନ ଓ ଖ୍ରୀଷ୍ଟିଆନ ନିମନ୍ତେ ମସିହ ମଉଦ କରି ପଠାଇଛନ୍ତି, ମୁଁ ସେହିପରି ହିନ୍ଦୁ ପାଇଁ କୃଷ୍ଣ ଅବତାର ରୂପରେ ଆସିଅଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଜିମ ୱକ୍ଫେ ଜଦିଦର ମୁଖ୍ୟ କେ.ନାସିର କହିଲେ, ନିଷ୍ଠାର ସହ ଧର୍ମସେବାରେ ଆର୍ଥିକ ସହଯୋଗ କଲେ ପୁଣ୍ୟ ମିଳିବା ସହ ପ୍ରଭୁ ପ୍ରସନ୍ନତା ହାସଲ ହୋଇଥାଏ । ସେହିଭଳି ଗୁଲାମ ଅହମଦ ଖାଁ ଅତିଥି ସେବା ଓ ସତ୍କାର ବିଷୟରେ ଇସଲାମୀୟ ଶିକ୍ଷା ଉପରେ ମତାମତ ରଖିଥିଲେ ।
ସଭାପତିତ୍ୱ ଭାଷଣରେ ମୁହମ୍ମଦ ନୁରୁଦ୍ଦିନ ଅମିନ କହିଲେ, ଆସନ୍ତୁ ଆଜି ଆମେ ସମସ୍ତେ ମିଳିମିଶି ଇସଲାମର ସେହି ଶାନ୍ତି, ମେତ୍ରୀ, ସହିଷ୍ଣୁତା ଏବଂ ସମନ୍ୱୟତାର ଶିକ୍ଷାକୁ ଏକମନ ଏକପ୍ରାଣ ହୋଇ ସମଗ୍ର ସଂସାରରେ ପ୍ରସାରିତ କରିବା । ବିଶ୍ୱ ଶାନ୍ତି ତଥା ଭାଇଚାରାର ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଧର୍ମ ସଭାରେ ଭୂବନେଶ୍ୱର ଅହମଦୀୟା ମୁସଲିମ ଜମାତର କର୍ମକର୍ତାଙ୍କ ସହ ଅନେକ ବୁଦ୍ଧିଜୀବୀ, ଜ୍ଞାନୀ ଗୁଣୀମାନେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଅହମଦୀୟା ମୁସଲିମ ଯୁବ ସଂଗଠନର ସଭାପତି ସମିର ଅହମଦ, ଶମିମ ଅହମଦ ଏବଂ ଅହମଦ ସଲାମ ସହ ବହୁ କର୍ମକର୍ତାମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।