-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ବଲାଙ୍ଗିର- ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ବିରୋଧ ତଥା ସଶକ୍ତିକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୁଲାପ ବାଗ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଓ କହିଥିଲେ ଯେ ସମାଜରୁ କୌଣସି ପ୍ରକାରର କୁ ପ୍ରଥାକୁ ବିଲୋପ କରିବାକୁ ହେଲେ ସମାଜକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ଆଗେଇ ଆସି କାମ କରିବାକୁ ପଡିବ ଓ ଏହା ଦ୍ୱାରା ଜନ ସାମାଜର ଅଶେଷ ମଙ୍ଗଳ ସାଧିତ ହେବ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରାମଦତ୍ତ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ସରକାର ଯେଉଁ ସବୁ ଯୋଜନା ଓ ବ୍ୟବସ୍ଥା ଶିଶୁମାନଙ୍କ ପାଇଁ କରିଛନ୍ତି ତାହାର ଭରପୁର ସୁଯୋଗ ପିତା-ମାତା ତଥା ଅଭିଭାବକ ନେଇ ଶିଶୁମାନଙ୍କୁ ଭବିଷ୍ୟତର ସୁନାଗିକ ଭାବେ ଗଢି ଗୋଳିବାର ସଂକଳ୍ପ ନେବା ଉଚିତ ବୋଲି ପ୍ରକାଶ କରିଥିଲେ । କର୍ମଶାଳାରେ ପ୍ରଶିକ୍ଷକ ଭାବେ ଶିଶୁ ମଙ୍ଗଳ ସମିତି, ବଲାଙ୍ଗିରର ସଦସ୍ୟା ଉପସ୍ଥିତ ବଲାଙ୍ଗିର ବ୍ଲକର ସମସ୍ତ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା, ଶିଶୁ ମଙ୍ଗଳ ସମିତିର କାର୍ଯ୍ୟଧାରା, ପ୍ରତିପାଳକ ଯତ୍ନ ଓ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ଦିଗ ତଥା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗୁରୁ ଦାୟିତ୍ୱ ଓ କର୍ତ୍ତବ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟତମ ପ୍ରଶିକ୍ଷକ ତଥା ଶିଶୁ ମଙ୍ଗଳ ସମିତି ସଦସ୍ୟ ନନ୍ଦି କିଶୋର ସାମଲ କହିଥିଲେ ଯେ, ଶିଶୁମାନେ ହେଲେ ସମାଜର ଦ୍ୱିତୀୟ ବଡ ସମସ୍ୟା ଏବଂ ତାଙ୍କର ଆବଶ୍ୟକତା କୁ ଆମେ ସଂପୂର୍ଣ୍ଣ ଗୁରୁତ୍ୱଦେଇ କାର୍ଯ୍ୟ କଲେ ତାଙ୍କର ସର୍ବବିଧ ଉନ୍ନତି ନିଶ୍ଚୟ ସାଧିତ ହେବ । ପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦାମୋଦର ଦାଶ କହିଥିଲେ ଯେ, ଆମେ ଯତ୍ପରୋନାସ୍ତି ଦେଶର ତୃଣମୂଳ ସ୍ତର ଯାହାକି ପଞ୍ଚାୟତ ସ୍ତରରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛୁ ଓ ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ଓ କର୍ମଚାରୀ ଗଣ ଆଗକୁ ଶିଶୁ ସୁରକ୍ଷା ସଂପର୍କିୟ ତ୍ରେମାସିକ ବୈଠକରେ ଆଲୋଚନା ଓ ନିଷ୍ପତ୍ତି ନେଇ ପଦକ୍ଷେପ ନେବେ ।
ପରେ ଲକ୍ଷ୍ମୀ ସିଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଜନ ସଚେତନତା, ସଭା, କର୍ମଶାଳା ମାଧ୍ୟମରେ ଆମେ ପିତା-ମାତା ନ ଥିବା ଶିଶୁ, ପରିତ୍ୟକ୍ତ ଶିଶୁ, ଅସହାୟ ଶିଶୁମାନଙ୍କୁ ଯୋଜନାରୁ ପୃଷ୍ଟପୋଷକତା ସହାୟତା, ସୁକନ୍ୟା- ସମୃଦ୍ଧି ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା, ଶିଶୁମାନଙ୍କୁ ବିକଳ୍ପ ଯତ୍ନର ବ୍ୟବସ୍ଥା ନିଶ୍ଚିତ ହିସାବରେ ସୁନିଶ୍ଚିତ କରାଯିବ । ଶେଷରେ ସିଡିପିଓ
ବଲାଙ୍ଗିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ, ବ୍ଲକ ଅଧ୍ୟକ୍ଷ, ବିଡିଓ, ଜିପିଇଓ, ସିଡିପିଓ ଏବଂ ସମସ୍ତ ସରପଞ୍ଚମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଓ ପ୍ରତ୍ୟେକ ଗ୍ରାମର ଅନ୍ତତଃ ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେ “ଝିଅକୁ ୧୮ ଓ ପୁଅକୁ ୨୧ ହେଲେ ବିବାହ କରାଇବା ଅନ୍ୟଥା ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବା” କାନ୍ଥରେ ଲେଖାଇବା ବ୍ୟବସ୍ଥା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।