-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Mar-2021
ବଲାଙ୍ଗିର (ପ୍ରେରଣା ଖବର) :ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ଖୁବଶୀଘ୍ର ସ୍ମାର୍ଟ କ୍ଲାସରୁମ୍ ସୁବିଧା ଉପଲବ୍ଧ କରାଯିବ ବୋଲି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଘୋଷଣା କରିଛନ୍ତି। ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମତୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜର ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।
ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମତୀ ମିଶ୍ର ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ୨୦୨୦ ମସିହା ଦଶମ ଶ୍ରେଣୀ(ମ୍ୟାଟ୍ରିକ ବୋର୍ଡ) ପରୀକ୍ଷାରେ ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ସ୍କୁଲର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ମିଶ୍ର ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହି ସ୍କୁଲର ବିଭିନ୍ନ ବିଷୟରେ ଟପ୍ପର ହୋଇଥିବା ଛାତ୍ରୀମାନଙ୍କୁ ନିଷ୍ଠା,ପରିଶ୍ରମ ଓ ଅଧ୍ୟବସାୟ ସହ ସଫଳ ଭବିଷ୍ୟତ ଗଢ଼ିବା ନିମନ୍ତେ ପରାମର୍ଶ ଦେଇଥିଲେ। ଛାତ୍ରୀମାନଙ୍କ ସୁବିଧା ପାଇଁ ଖୁବଶୀଘ୍ର ଏକ ସ୍ମାର୍ଟ କ୍ଲାସରୁମ୍ ସୁବିଧା କରିବା ପାଇଁ ସେ ପଦକ୍ଷେପ ନେବେ ବୋଲି ଓଟିଡିସି ଶ୍ରୀମତୀ ମିଶ୍ର ଘୋଷଣା କରିଥିଲେ। ସ୍କୁଲର ଛାତ୍ରୀ ସୌମ୍ୟଶ୍ରୀ ସାଇ, ଅଭିପସା ନାଏକ , କାମିନୀ ସାହୁ, ଖିରାଦ୍ରୀ ପାତ୍ର, ସ୍ମୃତି ରାଉତ ଓ ସୋନାଲି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।
ସୂଚନାଯୋଗ୍ୟ, ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନରେ ଯାଇ ଗୋଟିଏ ୱାଟରକୁଲର ଓ ପୁରିଫାୟାର ମେସିନ୍ ଏବଂ ଗୋଟିଏ ସାନିଟାଇଜ୍ ସ୍ପ୍ରେ ମେସିନକୁ ଲୋକାର୍ପିତ କରିଥିଲେ। ପିଲାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଶ୍ରୀମତୀ ମିଶ୍ର ଏହି ୱାଟରକୁଲର ମେସିନ୍ ସେଠାରେ ସ୍ଥାପନ
କରାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ‘ମୋ ସ୍କୁଲ’ ଅଭିଯାନ ଅନ୍ତର୍ଗତ ସେ ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ଦିଗରେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେଇପାରୁଥିବାରୁ ତାହା ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି ଶ୍ରୀମତୀ ମିଶ୍ର କହିଥିଲେ।