-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ବଲାଙ୍ଗିର/ଲୋଇସିଂହା(ପ୍ରେରଣା ଖବର): ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଫଳସାମାଲ ଗ୍ରାମରେ ବିଶାଳ ଆଦିବାସୀ ମେଳି ସହ ନବନିର୍ମିତ ଆଦିବାସୀ ଭବନ ଲୋକାର୍ପିତ ହୋଇଛି। ଏହି ଅବସରରେ ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ପରେ କୈଳାଶ ବରିହାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସରକାରଙ୍କ ନୀତି ଜନସାଧାରଣ, କୃଷକ, ମହିଳା, ଆଦିବାସୀ ଏବଂ ଛାତ୍ର ଓ ଯୁବସମାଜର ସ୍ୱାର୍ଥବିରୋଧୀ ବୋଲି ସେ ଅଭିଯୋଗ କରିଥିଲେ।
ଚାଷୀମାନେ ସାର, ବିହନ ଓ କୀଟନାଶକରେ ଉପଯୁକ୍ତ ରିହାତି ପାଉ ନ ଥିବାବେଳେ ଧାନ ବିକ୍ରୟ ଟୋକନ୍, ଏମ୍ଏସ୍ପି ଓ ସବ୍ସିଡି ସମସ୍ୟା ଯୋଗୁଁ ହଇରାଣ ହେଉଥିବା ସେ କହିଥିଲେ।
ବିଶେଷକରି ଖଣି ଓ ଖଣିଜ ସମ୍ପଦ ଆଇନର ସଂଶୋଧନକୁ ଆଦିବାସୀ ସ୍ୱାର୍ଥ ପରିପନ୍ଥୀ ଦର୍ଶାଇ ଶ୍ରୀ ବିଶି ଏହାର ପୁନର୍ବିଚାର ଦାବି କରିଥିଲେ। ଗନ୍ଧମାର୍ଦ୍ଦନ, ନିୟମଗିରି, ମହାଦାଶିନୀ, ବବଜା, ବିଅରପାଲି, ଭରତ ବାହାଲ, ଲରମ୍ଭା ଓ ସାଲେପଡ଼ା ଅଞ୍ଚଳର ଖଣିଜ ସମ୍ପଦ ସମ୍ପର୍କିତ ପ୍ରସ୍ତାବଗୁଡ଼ିକରେ ଗ୍ରାମସଭାର ଭୂମିକା ଏବଂ ଜନଶୁଣାଣି ପ୍ରକ୍ରିୟା ସ୍ପଷ୍ଟ କରିବାକୁ ଦାବି ଉଠିଥିଲା।
ଅନ୍ୟପକ୍ଷରେ ମହିଳାଙ୍କ ସୁରକ୍ଷା, ବାର୍ଦ୍ଧକ୍ୟ ଭତ୍ତା, ସାମାଜିକ ସୁରକ୍ଷା, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା, ଆଦିବାସୀ ବିଦ୍ୟାଳୟଗୁଡ଼ିକର ସ୍ଥିତି ଏବଂ ସଂରକ୍ଷଣ ଆଧାରିତ ନିଯୁକ୍ତି ଓ ପଦୋନ୍ନତିକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା। ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ପ୍ରତିରୋଧ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଅପରାଧୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଥିଲା।
ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ଜୀବିକା ଓ ସଂସ୍କୃତିର ସୁରକ୍ଷା ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଜାଣିଶୁଣି ଭୁଲ ଓଡ଼ିଆ ଅସ୍ମିତାକୁ ଭୁଲୁଣ୍ଠିତ କରୁଛି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେଉଛି ବୋଲି ଲୋଇସିଂହାର ସମାଜସେବୀ ନିହାର ରଞ୍ଜନ ବେହେରା ବିଜେପି ସରକାରଙ୍କୁ
କଟୁ ସମାଲୋଚନା କରିଥିଲେ l ସଭାରେ ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଂଯୁକ୍ତା ବରିହା ବିଜେପି ସରକାରରେ ମହିଳା, ଗରିବ, ଶ୍ରମିକ ମାନଙ୍କ ଦୟନୀୟ ଅବସ୍ଥା, ଅହେତୁକ ଦରଦାମ ବୃଦ୍ଧି ବିଷୟରେ ବିଷୋଦ୍ଗାର କରିଥିଲେ l ସମିତି ସଭ୍ୟ ମିଶ୍ର ବରିହା, ଗୁଣ ବରିହା, ଭକ୍ତ ବରିହା, ରଘୁମଣି ମିର୍ଦ୍ଧା, ଉଦବୋଧନ ଦେଇଥିଲେ l ସ୍ୱତନ୍ତ୍ର କନ୍ଦା, ଜଳ ଧରୁଆ, ସହଦେଵ ଧରୁଆ,ସରୋଜ ବେହେରା ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ l