-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
10-May-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ପୋଲିସ୍ ସଂଗଠନ ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ସୋନପୁର ସଦର ପୋଲିସ ଥାନା ପରିସରରେ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା ଯୁବପିଢି ଙ୍କୁ ସାଇବର ସୁରକ୍ଷା ଓ ସାମାଜିକ ଗଣମାଧ୍ୟମ ଉପରେ ସଚେତନତା କରିବା । କିଶୋର ବାଳକ ବାଳିକା ଓ ମହିଳାଙ୍କ ଉପରେ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ପୋଲିସ ତଦନ୍ତ ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ ମହାନିର୍ଦ୍ଦେଶକ ଡ. ଯୋଗେଶ ବାହାଦୁର ଖୁରାନିଆ ଆଭାସୀ ମାଧ୍ଯମରେ ଉଦ୍ଘାଟନ କରିବା ସହ ବିଭିନ୍ନ ଜିଲାର କିଶୋରୀ କିଶୋର ମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ ସୋନପୁର ଥାନା ଅଧିକାରୀ ଶ୍ରୀ ଯାଦବ ବାଗ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଏସ୍ପି ରେଣୁକା ସୁନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ସାମାଜିକ କର୍ମୀ ତଥା (ୟୁନିସେଫ୍) ପରାମର୍ଶଦାତା ଘାସିରାମ ପଣ୍ଡା ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କିଶୋରୀ କିଶୋର, ଅଙ୍ଗନୱାଡ଼ି କର୍ମୀ ଓ ପାରା ଲିଗାଲ ସ୍ୱେଚ୍ଛାସେବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଦୃଶ୍ୟମାନ ଓ ସଙ୍ଗଠିତ ସାଇବର ଅପରାଧ ନିୟନ୍ତ୍ରଣ କରିବାରେ ପୋଲିସର ପ୍ରମୁଖ ଭୂମିକା ରହିଛି । ଏଭଳି ସ୍ଥିତିରେ କିଶୋର ବାଳକ, ବାଳିକା ଓ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ଜୁଭେଣ୍ଟିକା ସଚେତନ କାର୍ଯ୍ୟକ୍ରମ ଅପରିହାର୍ଯ୍ୟା । ମୋବାଇଲ ଜରିଆରେ ନିଯୁକ୍ତି ବିଷୟରେ ଆସୁଥିବା ଲୋଭନୀୟ ପ୍ରତିଶ୍ରୁତି, ଉପଯୁକ୍ତ ବୟସରେ ବିବାହ, କିଶୋର ବୟସରେ ପରିସ୍ଥିତିରେ ଗତି କରି ବିପଥଗାମୀରୁ ନିବୃତ୍ତ ହେବା ଏବଂ କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବା ପୂର୍ବରୁ ନିଜ ବୁଦ୍ଧି ବିବେକ ଅନୁସାରେ ସେଥୁରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେହି ବିଷୟରେ ଅଧିକାରୀମାନେ ଉପାଦେୟ ସୂଚନା ଅବଗତ କରିଥିଲେ । ପରେ ବିଭିନ୍ନ ସଚେତନତା ଧର୍ମୀ ଭିଡିଓ ମାଧ୍ୟମରେ ଯୁବପିଢୀ ଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ଥାନା ଅଧିକାରୀ ଶ୍ରୀ ବାଗ ଯୁବପିଢି ତଥା କିଶୋରୀ ମାନଙ୍କୁ ସଚେତନ କରାଇବା ପାଇଁ ଭାବ ବିନିମୟ କରିବା ସହ ଅନେକ ପ୍ରଶ୍ନ କରିଥିଲେ ଏବଂ କିଶୋରୀ ମାନେ ମଧ୍ଯ ଉତ୍ତର ରଖିଥିଲେ ।