-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ବଲାଙ୍ଗୀର(ପ୍ରେରଣା ଖବର): ଭାରତୀୟ ସମ୍ବିଧାନ ଦ୍ୱାରା ନାଗରିକଙ୍କୁ ଯେତିକି ଅଧିକାର ଦିଆଯାଇଛି ସେତିକି କର୍ତ୍ତବ୍ୟବୋଧ ମଧ୍ୟ ସ୍ଥିର କରାଯାଇଛି । ଜଣକର କର୍ତ୍ତବ୍ୟରେ ଅନ୍ୟମାନଙ୍କର ଅଧିକାର ସାବ୍ୟସ୍ତ ହୋଇଥାଏ । ତେଣୁ ନାଗରିକର ଅଧିକାର ଓ କର୍ତ୍ତବ୍ୟ ଉଭୟେ ଉଭୟଙ୍କ ପରିପୂରକ । ସମାଜରେ ନାଗରିକମାନଙ୍କ ସାମାଜିକ, ନ୍ୟାୟିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରରେ ସମାନତା ରହିଲେ ଲୋକଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ଆଜି ସ୍ଥାନୀୟ ପିପି ଏକାଡେମୀ ସ୍କୁଲର ସଭାକକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସହାୟତାରେ ଭୂମୀକା ଓ ବିଚାର ପକ୍ଷରୁ “ଆଇନ ଓ ନ୍ୟାୟ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବଲାଙ୍ଗୀର ଜିଲ୍ଲା ଦୌରାଜଜ୍ ଡ.ପବିତ୍ରମୋହନ ସାମଲ ମତବ୍ୟକ୍ତ କରିଛନ୍ତି । ଡ.ସାମଲ ଆହୁରି କହିଲେ ଯେ,ସ୍ୱାଧିନତା ସମୟରେ ଲୋକଙ୍କ ପାଇଁ ବିଶେଷ ପରିମାଣରେ ମୌଳିକ ଅଧିକାର ସ୍ଥିର କରାଯାଇ ନଥିଲା । ପରେ ଅନେକଗୁଡିଏ ସମ୍ବିଧାନ ସଂଶୋଧନ କରାଯାଇ ଏହାକୁ ସାମିଲ କରାଯାଇଛି । ଯେମିତିକି ୫ରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଠିକ ସେହିପରି ୨୦୦୭ ମସିହାରେ ପ୍ରତ୍ୟେକ ନାଗରିକଙ୍କୁ ଦେଶର ସାର୍ବଜନୀନ ସମ୍ପତ୍ତିକୁ ସୁରକ୍ଷାଦେବାର କର୍ତ୍ତବ୍ୟ ମଧ୍ୟ ଦିଆଯାଇଛି । ଆମେ ଆମର ଅଧିକାର ସାବ୍ୟସ୍ତ କରିବା ସହିତ ନିଜନିଜ କର୍ତ୍ତବ୍ୟବୋଧ ଉପରେ ସଚେତନ ହେବାର ଆବଶ୍ୟକତା ରହିଛି । ଆମର ଯେତେ ସମସ୍ୟା ରହିଛି ତାହାର ମୂଳଉତ୍ସକୁ ଜାଣିଲେ ତାହାର ସମାଧାନ ହୋଇପାରିବ । ଯେତେବଡ ସମସ୍ୟା ଥିଲେ ହେଁ ତାକୁ ସ୍ମାଇଲ ଓ ସାଇଲେନ୍ସ ରହି ଅନୁଧ୍ୟାନ କରି ସମାଧାନ କରାଯାଇପାରିବ ବୋଲି ଡ.ସାମଲ କହିଥିଲେ । କେହି ଯେମିତି ନ୍ୟାୟରୁ ବଞ୍ଚିତ ନହେବେ ସେଥିପାଇଁ ଆଇନରେ ବ୍ୟବସ୍ଥା ରହିଛି । ଲିଗାଲସେଲ ମାଧ୍ୟମରେ ସାଧାରଣ ଜନତା ସେମାନଙ୍କର ନ୍ୟାୟିକ ଅଧିକାର ସାବ୍ୟସ୍ତ କରିପାରିବେ । ସେଥିପାଇଁ ତାଲୁକସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ଲିଗାଲସେଲ ରହିଛି । ଜିଲ୍ଲାସ୍ତରୀୟ ଲିଗାଲସେଲ ଜରିଆରେ ଅନେକ ଗରୀବଲୋକ ନ୍ୟାୟ ପାଇପାରୁଛନ୍ତି ବୋଲି ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବିନୟକୁମାର ପାତ୍ର କହିଥିଲେ । ବରିଷ୍ଠ ଆଇନଜୀବି ଭବାନୀଶଙ୍କର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଭୂମୀକାର ଚିତ୍ତରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ମଧୁସୁଦନ ପତି,ଡ.ଅଭିମନ୍ୟୁ ମିଶ୍ର,ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ବରିଷ୍ଠନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ପ୍ରହଲ୍ଲାଦ ଶତପଥି,ନବକୃଷ୍ଣ ସାହୁ,ମନୋରଂଜନ ସାହୁ, ଇଂ. ବେଲାରସେନ ଭୋଇ, ସତ୍ୟନାରାୟଣ ମିଶ୍ର, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଅଖିଳ ହୋତା, ନୟନ ମହାନ୍ତି, ଅଧ୍ୟାପକ ଡ.କୌତୁକ ପନ୍ଦର, ବ୍ୟାସଦେବ ନନ୍ଦ,ଅରୁଣ ମିଶ୍ରଙ୍କ ସମେତ ସହରର ବହୁବୁଦ୍ଧିଜୀବି ଓ ବିିଭିନ୍ନ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।