-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) : ରାଜ୍ୟର ପଶ୍ଚିମଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବଙ୍କ ନିମନ୍ତେ ବ୍ୟୟବହୁଳ ଚିକିତ୍ସା ସହାୟତା ପ୍ରଚଳନ କରିଥିବା ରାଜ୍ୟ ସରକାରଙ୍କ ଐତିହାସିକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରଦାନ କରାଯାଉଥିବା ଲକ୍ଷ ଲକ୍ଷ ଟଙ୍କାକୁ ବିଭିନ୍ନ ଉପାୟରେ କେତେକ ମୁନାଫାଖୋର୍ ସ୍ବାସ୍ଥ୍ୟବେପାରୀ ଲୁଟି ନେଉଥିବା ଉ ଦ୍ ବେ ଗ ଜନକ । ବଲାଙ୍ଗୀର ଜିଲ୍ଲାରେ ଏଭଳି ଏକ ଘରୋଇ ହସ୍ପିଟାଲରେ ଏହା ଚାଲିଥିବାର ଅଭିଯୋଗ ପାଇବା ପରେ ସରକାର ସେହି ହସ୍ପିଟାଲରେ ଏହି ଯୋଜନାର ଆଉ ଚିକିତ୍ସା କରାଯାଇ ପାରିବନାହିଁ ବୋଲି ନିଷେଧାଦେଶ ଜାରୀ କରିଛନ୍ତି । ବଲାଙ୍ଗୀର ସହରର ଉପକଣ୍ଠରେ ବଲାଙ୍ଗୀର - ପାଟଣାଗଡ ରାସ୍ତାରେ ଥିବା ' ସ୍ବରାଜ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ନାମରେ ରହିଥିବା ଏକ ଘରୋଇ ହସ୍ପିଟାଲରେ ଏହି ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି ହସ୍ପିଟାଲକୁ ଆଣି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଓ ଏହି ଅଭିଯୋଗ ପରେ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଏକ ସ୍ବତନ୍ତ୍ର ଚିଠି ହସ୍ପିଟାଲ ମାଲିକଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗକୁ ଏହାର ନକଲ ପ୍ରଦାନ କରାଯାଇଥିବା ପ୍ରକାଶ ପାଇଛି । ଏହି ଘରୋଇ ହସ୍ପିଟାଲଟିର ମାଲିକ ଜଣେ ସ୍ଥାନୀୟ ଡାକ୍ତର ପରିବାରର ଓ ସେ ବଲାଙ୍ଗୀରର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବରେ ଜଣାଶୁଣା । ପୂର୍ବରୁ ସେ ପାଟଣାଗଡରେ ସରକାରୀ ଚାକିରୀରେ ଥିଲାବେଳେ ଘରୋଇ ଚିକିତ୍ସା ନିମନ୍ତେ ଓ ଅନ୍ୟାନ୍ୟ ଘଟଣାରେ ବିବଦମାନ ହୋଇପଡିଥିଲେ ।
ତେବେ କେବଳ ଏହି ଗୋଟିଏ ଘରୋଇ ହସ୍ପିଟାଲ ନୁହେଁ , ବଲାଙ୍ଗୀର ସହରରେ ଏଇ କିଛିବର୍ଷ ମଧ୍ୟରେ ଖୋଲିଥିବା ଅନ୍ୟାନ୍ୟ ଏକାଧିକ ଘରୋଇ ହସ୍ପିଟାଲରେ ମଧ୍ୟ ଏଭଳି ଦଲାଲି ଓ ଶୋଷଣ ଚାଲିଛି । ଏତଦବ୍ୟତୀତ କଣ୍ଟାବାଞ୍ଜି , ପଡୋଶୀ ସୋନପୁର ଓ ବରଗଡ ଜିଲ୍ଲାର କେତେକ ଘରୋଇ ହସ୍ପିଟାଲରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୁଣ୍ଠନ ଅବ୍ୟାହତ ରହିଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ , ପଦ୍ମପୁର ପରି ଛୋଟ ସହରରେ ସମ୍ପୂର୍ଣ୍ଣ ଘରଭିତରେ ବେଡ୍ ପକାଯାଇ ଖୋଲାଯାଇଥିବା ନାମମାତ୍ର ଛୋଟ ଛୋଟ ହସ୍ପିଟାଲରେ ବୁର୍ଲା ଓ ସମ୍ବଲପୁରରୁ ସପ୍ତାହରେ ଥରେ ଦୁଇଥର ଆସି ଅପରେସନ ଆଦି କରି ଏହି କାର୍ଡରେ ସେଠାରେ ଅନ୍ୟାନ୍ୟ ଘରୋଇ ହସ୍ପିଟାଲ ସହ ଫିକ୍ସିଂ କରି ଯୋଜନାର ଦୁରୂପଯୋଗ କରୁଥିବା ଦୃଷ୍ଟିକୁ ଆସିଛି । କଣ୍ଟାବାଞ୍ଜିରେ ଜଣେ ରାଜନୈତିକନେତା ଏକ ବଡ ଘରୋଇହସ୍ପିଟାଲ ଖୋଲିଛନ୍ତି ଓ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିଥିଲେ। ସେଠାରେ ମଧ୍ୟ ରାୟପୁର ଓ ବିଶାଖାପାଟଣା ଆଦି ସ୍ଥାନର ଉଲ୍ଲେଖ କରାଯାଇ ଏହି ଯୋଜନାର ବ୍ୟାପକ ବାଟମାରଣା କରାଯାଇ ଆସୁଥିବା ଅଭିଯୋଗ କରାଯାଉଛି । ତେଣୁ ସରକାର ଏସବୁ ପ୍ରତି ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି । ଏତଦ୍ ବ୍ୟତୀତ ସରକାରୀ ହସପିଟାଲରେ ମଧ୍ୟ ପାଞ୍ଚକୁ ପଚିଶ ବଢାଇ ଏହି ଯୋଜନାର ଅର୍ଥର ବାଟମାରଣା ହେଉଛି । ଏହା ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିବାକୁ ଲୋକେ ଦାବି କରିଛନ୍ତି ।