-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସଦର ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁରର ଜୁନିଅର ରେଡ କ୍ରସ୍ ୟୁନିଟ ଆନୁକୁଲ୍ୟରେ ୭୪ ତମ ବନମହୋତ୍ସବ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ସୋନପୁର ରେଞ୍ଜର ଭରତ ବନ୍ଧୁ ଶବର, ସମ୍ମାନୀତ ଅତିଥି ଭାବରେ ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ବନ ରକ୍ଷକ ସୁଜ୍ଞାନୀ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । କୋଭିଡ - ୧୯ ସମୟରେ ଅମ୍ଳଜାନ ଅଭାବରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଆମକୁ ମାଗଣାରେ ଅମ୍ଳଜାନ ଦେଉଥିବା ଏହି ଗଛ ଲଗାଇବା ଏବଂ ଏହାର ସୁରକ୍ଷା କରିବା ପାଇଁ ଅତିଥି ମାନେ ପରାମର୍ଶ ଦେବା ସହିତ ଶପଥ ପାଠ କରାଇଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଥିବା ପରିବେଶ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ସମସ୍ତ ଅତିଥିଗଣ ବିଦ୍ୟାଳୟ ପରିସରରେ ଏବଂ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସଂଗୃହୀତ ମଞ୍ଜିକୁ ରାସ୍ତାକଡ଼ରେ ପକାଇବା ପାଇଁ ଏବଂ ସମସ୍ତଙ୍କୁ ଫଳ ଚାରା ବଣ୍ଟନ ପାଇଁ ଯୋଜନା ଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିଅର ରେଡ୍ କ୍ରସ ପରାମର୍ଶଦାତା ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଗୋପେଶ ପଣ୍ଡା ସଂଯୋଜନା କରିଥିବାବେଳେ ସ୍ଥାନୀୟ ସିଆରସିସି ପ୍ରସନ୍ନ କୁମାର ପଣ୍ଡା ବିଦ୍ୟାଳୟକୁ ଏକ ରବର ଗଛ ଉପହାର ଦେବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା, ଶିକ୍ଷକ ଅକ୍ଷୟ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ମହିଳା ସଦସ୍ୟା ତଥା ଗ୍ରାମର ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ. କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଗଛ ଲଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।