-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-May-2023
ବୀରମହାରାଜପୁର( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସୁବଳୟା ମୁଖ୍ୟ ରାସ୍ତାର ଡୁମ୍ବୁରୀ ଛକରେ ଥିବା ବହୁ ପୁରୁଣା ବର୍ଷର ଯାତ୍ରୀ ବିଶ୍ରାମଗାରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ବସ୍ ଅପେକ୍ଷାରେ ଦୈନିକ ଏଠାରେ ଆଶ୍ରୟ ନେଇ ଆସୁଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରାୟ ୨୦ ବର୍ଷ ତଳେ ସ୍ଵଳ୍ପ ଖର୍ଚ୍ଚରେ ଏହା ନିର୍ମାଣ ହୋଇଥିଲା। ବର୍ତ୍ତମାନ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଥିବା ବେଳେ ଛାତରୁ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଅତଡା ଖସି ପଡିବା ସହ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ସମୟରେ ସାମାନ୍ୟ ବର୍ଷା ହେଲେ ଛାତରୁ ଅବିଶ୍ରାନ୍ତ ଭାବରେ ପାଣି ଗଳୁଛି। ଫଳରେ ଯାତ୍ରୀମାନେ ଆଶ୍ରୟ ନେବାପାଇଁ ଭିତରକୁ ଯିବାକୁ ନିରାପଦ ମଣୁନାହାନ୍ତି। କୈାଣସି ମୁହୂର୍ତ୍ତରେ ଏହାର କାନ୍ଥ କି ଛାତ ଭାଙ୍ଗି ପଡିବା ଆଶଙ୍କା ଦେଖାଦେଇଛି। ସୂଚନା ଯୋଗ୍ୟ ଯେ, ଏହି ଛକ ଉପରେ ବୀରମହାରାଜପୁର ଅଞ୍ଚଳର ଡୁଙ୍ଗୁରୀ, ଗୋଧନେଶ୍ଵର, କେଉଟିପାଲି, ବଡ଼ଖମାର, ଚନ୍ଦିଲି ଓ ଆଖପାଖ ଗ୍ରାମର ଅନେକ ଯାତ୍ରୀ ଏହି ଛକ ଠାରୁ ବସ ଚଢ଼ି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ପାଖରେ ଥିବା ପ୍ରସିଦ୍ଧ ଗୋଧନେଶ୍ଵର ଶୈବପୀଠ କୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମହାଦେବଙ୍କୁ ଦର୍ଶନ ସହ ବିଭିନ୍ନ ମାନସିକ କାର୍ଯ୍ୟରେ ଆସି ନିଜ ଗନ୍ତବ୍ୟ ସ୍ଥଳ ଯିବା ପାଇଁ ଏହି ଛକ ନିକଟରେ ବିଭିନ୍ନ ଯାନବାହାନ କୁ ଅପେକ୍ଷା କରିଥାନ୍ତି। ଫଳରେ ଏଠାରେ ସୁରକ୍ଷିତ ବିଶ୍ରାମଗାର ନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଯାତ୍ରୀଙ୍କ ବିଶ୍ରାମ ପାଇଁ ତିଆରି ହୋଇଥିବା ବିଶ୍ରାମଗାରଟି ବହୁ ପୁରୁଣା ଏବଂ ଶୋଚନୀୟ ଅବସ୍ଥାରେ ରହିଥିବାରୁ ଏହା ଲୋକଙ୍କ ପାଇଁ ଭୟର କାରଣ ପାଲଟିଛି। ବିପଦ ସଙ୍କୁଳ ବିଶ୍ରାମଗାରଟି ନୂତନ ଭାବରେ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ବହୁ ଦିନରୁ ଦାବି କରି ଆସୁଛନ୍ତି। କିନ୍ତୁ ବିଭାଗୀୟ ର୍କୃପକ୍ଷଙ୍କ ଅବହେଳା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ସମସ୍ୟାର ସମାଧାନ ହୋଇ ପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହେଉଛି।