-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
12-Dec-2022
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ବିଶିଷ୍ଟ ଚାଷୀ ନେତା ଅଶୋକ ପ୍ରଧାନ ସମ୍ବଲପୁର ଜିଲ୍ଲା ଧାନ ସଂଗ୍ରହ ଉପସମିତିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି I ସମ୍ବଲପୁର ଜିଲ୍ଲା ଧାନକିଣାରେ ଚାଲିଥିବା ଘୋର ଅବ୍ୟବସ୍ଥା ଓ ସମିତି ସଦସ୍ୟଭାବେ ନିଜ ଅସହାୟତାର ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି I ସମ୍ବଲପୁର ଜିଲ୍ଲାପାଳଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ କୁଚିଣ୍ଡା ଉପଖଣ୍ଡରେ ଚାଷୀମାନଙ୍କ ଧାନ ମଣ୍ଡିଗୁଡ଼ିକରୁ ଠିକ ସମୟରେ ଧାନ ଉଠୁ ନାହିଁ I ଗ୍ରାମାଞ୍ଚଳ ମଣ୍ଡି ଗୁଡ଼ିକରେ କୌଣସି ସୁବିଧା ନଥିଲାବେଳେ ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡ଼ି ରହୁଛି I ଶୀତ କାକରେ ଚାଷୀମାନେ ତାକୁ ଜଗି ରହୁଛନ୍ତି I ଜଙ୍ଗଲୀ ହାତୀ ମାନେ ଚାଷୀଙ୍କ ଧାନ ଓ ଜୀବନକୁ ବିପନ୍ନ କରୁଛନ୍ତି। କିନ୍ତୁ ପ୍ରଶାସନର ଏଥି ପ୍ରତି ଚିନ୍ତା ନାହିଁ। ବହୁ ମଣ୍ଡିକୁ ମିଲର୍ସ ଆଦୌ ଆସୁ ନାହାନ୍ତି। ଯେଉଁଠି ଆସୁଛନ୍ତି କଟ୍ନିଛଟ୍ନି ପାଇଁ ମୂଲଚାଲ କରୁଛନ୍ତି। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଧାନକିଣା ଉପସମିତି ରହିଛି ଯାହାର ସେ ସଭ୍ୟ। ଅତୀତରେ ଏହି ଉପସମିତି ବୈଠକ ବସି ଚାଷୀଙ୍କ ଅନେକ ଗୁରୁତର ସମସ୍ୟା ସମାଧାନ ହେବାର ନଜିର ବି ରହିଚି। କିନ୍ତୁ କିଛି ବର୍ଷ ହେଲା ଏହି ଉପସମିତିର ଆଦୌ ବୈଠକ ବସି ନାହିଁ ବା ଚାଷୀଙ୍କ ଧାନବିକା ସମସ୍ୟା ନେଇ କୌଣସି ଆଲୋଚନା ହୋଇ ନାହିଁ। ତେଣୁ ଏହି ଉପସମିତିର ଆଳଙ୍କାରିକ ସଦସ୍ୟ ହୋଇ ରହିବାର କୌଣସି ଅର୍ଥ ନଥିବାରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।