-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
30-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ଠାରେ ଚାଲିଥିବା କୁଚ୍ ବେହାର ଟ୍ରଫି ମ୍ୟାଚ୍ରେ ଓଡ଼ିଶାର ପାଳି ପରାଜୟ ହୋଇଛି I ଟସ୍ ଜିତି ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା I ଜବାବରେ ହରିଆଣା ପ୍ରଥମ ପାଳିରେ ୫୧୧ ରନ୍ କରିଥିଲା I ଓଡ଼ିଶା ତାର ଦ୍ବିତୀୟ ପାଳିରେ ୨୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥି ସହ ହରିଆଣା ଗୋଟିଏ ପାଳି ଓ ୧୮ ରନ୍ରେ ବିଜୟ ହାସଲ କରିଛି। ଦ୍ବିତୀୟ ପାଳିରେ ହରିଆଣା ପକ୍ଷରୁ ସାମନ୍ତ ଜଖାର ସର୍ବାଧିକ ୪ ଵିକେଟ୍ ହାସଲ କରିଥିଲେ। ୧୨୯ ରନ୍ କରିବା ସହ ୪ ଵିକେଟ୍ ହାସଲ କରିଥିବା ହରିଆଣାର ମୟଙ୍କ ସାଣ୍ଡିଲ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ଅଲ୍ରାଉଣ୍ଡର୍ ଭୂମିକା ତୁଲାଉଥିବା ହରିଆଣା ଅଧିନାୟକ ନିଶାନ୍ତ ସିନ୍ଧୁ ବ୍ୟାଟିଂରେ ୬୩ ରନ୍ କରିଥିବା ବେଳେ ମୋଟ ଉପରେ ୫ଟି ଵିକେଟ୍ ନେଇଥିଲେ I ପ୍ରଥମ ପାଳିରେ ୩୧୭ ରନ୍ ପଛରେ ଥିବା ଓଡ଼ିଶା ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳିରେ ୪ ଵିକେଟ୍ ହରାଇ ୨୪୨ ରନ୍ ସଂଗ୍ରହ କରିଥିଲା। ଚତୁର୍ଥ ଦିନ ଆଉ ମାତ୍ର ୫୭ ରନ୍ରେ ଅବଶିଷ୍ଟ ୬ ଵିକେଟ୍ ହରାଇବାରୁ ପାଳି ପରାଜୟ ଏଡ଼ାଇ ପାରି ନଥିଲା। ଓଡ଼ିଶା ପାଇଁ ଅଧିନାୟକ ସାଇଦୀପ ମହାପାତ୍ର ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିବା ସହ ୩ଟି ଵିକେଟ୍ ନେଇଥିଲେ। ଦ୍ବିତୀୟ ପାଳିରେ ସାଇଦୀପ ୫୪ ରନ୍ (୧୦୭ ବଲ୍, ୪ ଚୌକା, ୨ ଛକା) କରିଥିଲେ I ଚଳିତ ବର୍ଷ କୁଚ୍ ବେହାର ଟ୍ରଫିରେ ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍ ବିହାର ବିପକ୍ଷରେ ଡ୍ର’ ରଖି ପାଳି ଆଗୁଆ ହୋଇଥିଲା। ଦ୍ବିତୀୟ ମ୍ୟାଚ୍ରେ ମଣିପୁର ବିପକ୍ଷରେ ପାଳି ବିଜୟ ହାସଲ କରିଥିଲା। ହେଲେ ଘରୋଇ ମାଟିରେ ଖେଳିଥିବା ତୃତୀୟ ଓ ଚତୁର୍ଥ ମ୍ୟାଚ୍ରେ ଯଥାକ୍ରମେ ଆନ୍ଧ୍ର ଓ ହରିଆଣା ଠାରୁ ଶୋଚନୀୟ ପରାଜୟ ବରଣ କରିଛି। ଓଡ଼ିଶା ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ରେ ଖେଳା ଯିବାକୁ ଥିବା ଏହାର ପରବର୍ତ୍ତୀ ମ୍ୟାଚ୍ରେ ବିଦର୍ଭକୁ ଭେଟିବ I