-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ବଲାଙ୍ଗୀର,୨୧/୧୧(ପ୍ରେରଣା ଖବର)- ବଲାଙ୍ଗୀର ସହରର ଉପାନ୍ତ ଅଂଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଝିଅ ମାନଙ୍କୁ ଦେଖାଇ ବିବାହ କରାଇ ଦେବା ନାଁ ରେ ବାହ୍ୟ ରାଜ୍ୟର ଯୁବକ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଦଲାଲ ଫେରାର ମାରିଥିବା ଘଟଣାରେ ବାହର ରାଜ୍ୟର ଦୁଇ ଜଣ ଯୁବକ ଆଜି ଟାଉନ ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି ।
ସୂବନାରୁ ପ୍ରକାଶ ଯେ, ଜନୈକ ଦୀପକ ମିଶ୍ର ନାମକ ବ୍ୟକ୍ତି ମଧ୍ୟପ୍ରଦେଶର ସାଗର ଜିଲ୍ଲା, ଥାନା ସାୟଗଡ଼ ନିକଟସ୍ଥ ନିବାଇ ଗ୍ରାମର ଦୁଇ ଜଣ ଯୁବକ କିଶୋରୀ ପାଲ(୨୪) ଓ ରାଜଭାନ ପାଲ(୨୭)ଙ୍କୁ ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ୪ଠହଜାର ଟଙ୍କା ଏବଂ ପରେ ୩ଠହଜାର ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିବା ପରି ଏକ ଗୁରୁତର ଅଭିଯୋଗ ହୋଇଛି । ଯୁବକ ଦ୍ୱୟଙ୍କ କହିବା ଅନୁଯାୟୀ ଦୀପକ ମିଶ୍ର ନାମକ ଏକ ବ୍ୟକ୍ତି ଏହି ଦୁଇ ଯୁବକଙ୍କୁ ବଲାଙ୍ଗୀରରେ ଝିଅ ଅଛନ୍ତି, ବିବାହ କରାଇ ଦେବି କହି ବଲାଙ୍ଗୀରକୁ ଡାକିଥିଲା । ସେମାନେ ୧୯ ତାରିଖରେ ବଲାଙ୍ଗୀରରେ ପହଞ୍ଚିବା ପରେ ପ୍ରଥମେ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ସାହୁ ଲଜ୍ରେ ରଖିଥିଲା ପରେ ଏମାନେ ଦୀପକ ସହ ଝିଅ ଘରକୁ ଝିଅ ଦେଖିବା ପାଇଁ ଯାଇଥିଲେ । ବାପା ମାଁ ଘରେ ନଥିବାରୁ ସାନ ଝିଅ ସେମାନଙ୍କୁ ଝିଅର ଫଟୋ ଦେଖାଇ ପରେ ଆସିବା ପାଇଁ କହିଥିଲେ । ପୁଣି ଅପରାହ୍ନରେ ଦୀପକ ଏମାନଙ୍କୁ ଭାଗିରଥୀ ଛକ ତାରା ଲଜ୍ରେ ଆଣି ରଖିଥିଲା ।
ଯୁବକଙ୍କ ବୟାନ ମୁତାବକ ଦୀପକ ପୂର୍ବରୁ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଏଠାରୁ ଝିଅ ବାହା କରାଇ ପଠାଉଥିବାର ଖବର ପାଇ ଏମାନେ ଦୀପକ ସହ ଯୋଗାଯୋଗ କରିଥିଲେ । ୧୯ ତାରିଖ ସଂଧ୍ୟାରେ ଦୀପକ ଏମାନଙ୍କ ଠାରୁ ପ୍ରଥମେ ୪ଠ ହଜାର ଟଙ୍କା ନେଇଥିବା ବେଳେ ୨ଠ ତାରିଖ ରେ ୩ଠ ହଜାର ଟଙ୍କା ଝିଅ ଘରକୁ ଦେବି କହି ନେଇ ଚାଲି ଯାଇଥିଲା । ସେହି ଦିନ ସଂଧ୍ୟାରେ ଆସନ୍ତା କାଲି ବିବାହ ହେବ କହି ଝିଅ ପାଇଁ ମଙ୍ଗଳସୂତ୍ର, ଶାଢ଼ୀ ଓ ବିଭିନ୍ନ ବିବାହ ସାମଗ୍ରୀ କିଣିବା ପାଇଁ ପୁଣି ୫ହଜାର ଟଙ୍କା ନେଇଯାଇଥିଲା । ପାଖରେ ପଇସା ନଥିବା ଯୋଗୁଁ ଏମାନେ ଗାଁ ର ସଂପର୍କୀୟ ମାନଙ୍କ ଠାରୁ ଟଙ୍କା ମଗାଇ ଥିଲେ । ୨୧ ତାରିଖ ଦିନ ଯୁବକ ଦ୍ୱୟ ଦୀପକକୁ ଫୋନ କରିବାରୁ ଚେରୁପାଲି ଗ୍ରାମକୁ ଆସିବା ପାଇଁ କହିଥିଲା । ଚେରୁପାଲିରେ ପହଂଚି ଫୋନ କରିବାରୁ ଦୀପକ ଆଉ ଫୋନ୍ ଉଠାଇ ନଥିଲା । ବାରମ୍ବାର ଫୋନ ପରେ ମଧ୍ୟ କୌଣସି ଯୋଗାଯୋଗ ହୋଇ ନପାରିବାରୁ ବାଧ୍ୟ ହୋଇ ଏମାନେ ବଲାଙ୍ଗିର ଟାଉନ ଥାନାରେ ଦୀପକ ନାଁ ରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ । ଏମାନଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଟାଉନ ଥାନାରେ ଠକେଇ ମାମଲା କେଶ ନଂ ୫ଠ୬, ଦଫା ୪୨ଠ ଓ ୩୪ ଆଇପିସି ରେ କେଶ ରୁଜୁ କରି ଯୁବତୀ ଚାଲାଣ ର୍ୟାକେଟର ପୋଲିସ ତଦନ୍ତ ଚଲାଇଛି । ଉପରୋକ୍ତ ବିଷୟକୁ ନେଇ ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଏହି କେଶ ର ତଦନ୍ତ କରି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ।
ଏପଟେ ଏହି ଯୁବକ ଦ୍ୱୟଙ୍କୁ ଜୀବନରେ ମାରି ଦେବା ପାଇଁ ଦୀପକ ଧମକ ଦେଇଥିବା ବିଷୟ ଏମାନେ ଅଭିଯୋଗ କରି ନ୍ୟାୟ ମିଳିବା ତଥା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।