-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
10-Feb-2026
କଣ୍ଟାମାଳ(ଜୟ କୁମାର ମହାରଣା): ସଂକଳ୍ପ, ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ କୌଣସି ସୀମା ଅବରୋଧ କରିପାରେ ନାହିଁ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି କଣ୍ଟାମାଳ ବ୍ଲକ ଶ୍ରୀମାଳ ଗ୍ରାମର ସୁବାଷ ରଣା ଓ ସେବତୀ ରଣାଙ୍କ ପୁତ୍ର ଭୀମସେନ ରଣା । ବୌଦ୍ଧିକ ଅନଗ୍ରସର ଶିଶୁ ହୋଇଥିଲେ ମଧ୍ୟ ସମସ୍ତ କାର୍ଯ୍ୟ କରିବା ଓ ନୂତନ କୌଶଳ ଶିଖିବାରେ ସେ ବେଶ୍ ଆଗ୍ରହୀ ଏବଂ ଏଥିପାଇଁ ତାଙ୍କର ପିତା ମାତା ସର୍ବଦା ଯଥା ସମ୍ଭବ ପ୍ରୟାସ ଓ ସହଯୋଗ କରିଥାନ୍ତି । ସେ କଣ୍ଟାମାଳ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର, ସୁବର୍ଣ୍ଣପୁର ଦ୍ଵାରା ପରିଚାଳିତ ଉତ୍ସାହ-ଡେ କେୟାର ଥେରାପି ସେଣ୍ଟର ଠାରେ ସ୍ଵତନ୍ତ୍ର ଶିକ୍ଷା
ଗ୍ରହଣ କରୁଥିବା ସମୟରେ ତାଙ୍କର ବିଭିନ୍ନ ଦକ୍ଷତା ବାବଦରେ ଜଣା ପଡିଥିଲା । ଯଥା ମୂର୍ତ୍ତି ନିର୍ମାଣ, ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦକ୍ଷତା ଦେଖାଇଥିଲେ । ରେଆର, କଣ୍ଟାମାଳରୁ ତାକୁ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଭାଗନେବା ପାଇଁ ସୁଯୋଗ ପାଇଥିଲେ ଓ ସେଠାରେ ସେ ୫୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇ ଥିଲେ ଏବଂ ସ୍ଵତନ୍ତ୍ର ଅଲମ୍ପିକ୍ସରେ ଅସାଧାରଣ କୃତିତ୍ୱ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ଭୀମସେନଙ୍କ ଏହି ସଫଳତା ପଛରେ ରେଆର ସଂସ୍ଥା ଓ ତାଙ୍କ ଅଭିଭାବକଙ୍କ ସହଯୋଗ ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ବୋଲି ସେ କହିଛନ୍ତି । ଏହା କେବଳ ମେଡାଲ୍ ନୁହେଁ, ସମାଜକୁ ଏକ
ଶକ୍ତିଶାଳୀ ସନ୍ଦେଶ; ସଠିକ୍ ମାର୍ଗଦର୍ଶନ, ନିରନ୍ତର ଅଭ୍ୟାସ ଓ ଭଲପାଇବା ମିଳିଲେ, ବିଶେଷ କ୍ଷମତା ସମ୍ପନ୍ନ ଶିଶୁମାନେ ମଧ୍ୟ ବିଶ୍ୱମଞ୍ଚରେ ଇତିହାସ ଗଢ଼ିପାରନ୍ତି । ତାଙ୍କର ଯାତ୍ରା ଶିଖାଏ- “ଅସମର୍ଥତା” ଏକ ଟ୍ୟାଗ୍ ନୁହେଁ, ବରଂ ଏକ ଅନ୍ୟ ରାସ୍ତା; ଯେଉଁ ରାସ୍ତାରେ ସଫଳତା ପାଇଁ ସାହସ ଓ ସ୍ୱପ୍ନ ଦରକାର । ଭୀମସେନ ରଣାଙ୍କୁ ଏହି ଗୌରବମୟ ସଫଳତା ପାଇଁ ଅନେକ ମହଳରୁ ଶୁଭେଚ୍ଛା ଆସୁଛି । ସେ ଆଜି ଅନେକ ଶିଶୁଙ୍କ ପାଇଁ ପ୍ରେରଣା, ଅନେକ ଅଭିଭାବକଙ୍କ ପାଇଁ ଆଶା ଓ ସମାଜ ପାଇଁ ଗର୍ବର ପ୍ରତୀକ ।