-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ବରପାଲି (ସୁଦାମ ଦୀପ)
ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୋମବାର ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି।ଶେଷ ଦିବସର ପ୍ରଥମ ଅଧିବେଶନରେ ପ୍ରଫେସର ଡ. ଏନ୍. ନାଗାରାଜୁ, କୁଳପତି, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଯୋଗଦେଇ ନିଜ ବକ୍ତବ୍ୟଦ୍ଵାରା ଛାତ୍ରଛାତ୍ରୀଙ୍କ ଉତ୍ସାହବର୍ଦ୍ଧନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସନତ ଗଡତିଆ, ମାନ୍ୟବର ବିଧାୟକ, ବିଜେପୁର, ଶ୍ରୀଯୁକ୍ତ ନିହାର ମହାନନ୍ଦ, ମାନ୍ୟବର ବିଧାୟକ, ଅତାବିରା, ଶ୍ରୀମତୀ ବର୍ଷା ସିଂ ବରିହା, ମାନ୍ୟବର ବିଧାୟିକା, ପଦ୍ମପୁର ପ୍ରମୁଖ ଯୋଗଦେଇଥିଲେ । ଏହି ଭବ୍ୟ ଆୟୋଜନରେ ମୁଖ୍ୟବକ୍ତା ଭାବରେ ଡକ୍ଟର ଉମାଚରଣ ପତି, କୁଳ ସଚିବ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏକ ହାସ୍ୟକବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ଏବଂ ହାସ୍ୟରତ୍ନ କବି ଶିଶିର ପୁରୋହିତ ନିଜ ନିଜର ସାରସ୍ଵତ ପ୍ରତିଭା ପ୍ରଦର୍ଶନ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସ୍ମରଣିକା 'ସ୍ଵର୍ଣ୍ଣପ୍ରଭା'ର ପ୍ରଚ୍ଛଦ ସହିତ ଡକ୍ଟର ନବୀନ କୁମାର ସାହୁଙ୍କ ଶତବାର୍ଷିକୀ ଉପଲକ୍ଷେ ପ୍ରକାଶିତ 'ପଞ୍ଚରତ୍ନ' ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀଙ୍କଦ୍ଵାରା ପ୍ରକାଶ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ' କଳାକାର ' ନାଟକ ପ୍ରଦର୍ଶିତ ହୋଇଥିଲା ।
ଉତ୍ସବର ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ. ସୁକୁମାର ମିଶ୍ର, ନିର୍ଦ୍ଦେଶକ, ଆଇଆଇଟି, ଧାନବାଦ ଏବଂ ସମ୍ମାନିତ ଅତିଥି ପ୍ରଫେସର ଡ. କ୍ଷମାନିଧି ଅଦାବର୍, ପ୍ରଫେସର, ଅର୍ଥନୀତି ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗାନ୍ଧୀନଗର ଯୋଗଦେଇ ଛାତ୍ର ଜୀବନର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଉପସ୍ଥିତ ବର୍ତ୍ତମାନ ତଥା ପୁରାତନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ପୁରାତନ ଛାତ୍ରୀଙ୍କଦ୍ଵାରା ଏକ 'ଫେଶନ ସୋ'ର ଆୟୋଜନ କରାଯାଇଥିଲା। କଳାକାର ସର୍ବେଶ୍ଵର ଭୋଇ ଓ ସାଥୀ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣ ଜୟନ୍ତୀ କମିଟି ତଥା ନିଷ୍ଠା ପରିବାର ବରଗଡ଼ ଓ ବରଗଡ଼ ରକ୍ତ ସଂଗ୍ରହ କେନ୍ଦ୍ର ସହାୟତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।