-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
(ପ୍ରେରଣା ଖବର) ବଲାଙ୍ଗୀର: ରାଜନେତାଙ୍କ ଜିଲ୍ଲା ଭାବରେ ପରିଚିତ ବଲାଙ୍ଗୀର। ଏଠିକାର ରାଜନେତାଙ୍କ ରାଜ୍ୟ ସ୍ତରରେ ଦବଦବା। ଚାଷୀ ଆନ୍ଦୋଳନ ପ୍ରସଙ୍ଗ ସାରା ଦେଶରେ ଏବେ ଚର୍ଚ୍ଚିତ। ଏଭଳି ସମୟରେ ବଲାଙ୍ଗୀର ଜିଲ୍ଲାରେ ବି ଚାଷ ଓ ଚାଷୀଙ୍କୁ ନେଇ ରାଜନୀତି। ଚାଷ କାମ ଆରମ୍ଭରୁ ସାର ଓ ବିହନକୁ ନେଇ ଜମିଥିଲା ରାଜନୀତି। ଏବେ ଅମଳ ସମୟରେ ଧାନକିଣା ପ୍ରକ୍ରିୟାରେ ଆରମ୍ଭ ହୋଇଛି ରାଜନୀତି। ବଲାଙ୍ଗୀର ଜିଲ୍ଲାର ମଣ୍ଡିଗୁଡ଼ିକରେ ଅନେକ ଅବ୍ୟବସ୍ଥା। ମିଲର୍ସଙ୍କ ମନମାନୀ ଯୋଗୁଁ କଟନି ଛଟନିରେ ଘାଇଲା ହେଲେଣି ଚାଷୀ। ତେଣୁ ଏବେ ମଣ୍ଡି ବୁଲା ରାଜନୀତି ଆରମ୍ଭ ହୋଇଛି। ମଣ୍ଡିରୁ ମଣ୍ଡିକୁ ବୁଲୁଛନ୍ତି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ। ଅଭାବ ଅସୁବିଧା ଦେଖୁଛନ୍ତି। ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ଅଧିକାରୀମାନଙ୍କୁ ବି ତାଗିଦ କରୁଛନ୍ତି। ତଥାପି ସମସ୍ୟାର ସମାଧାନ ନାହିଁ। ଜିଲ୍ଲାର ଅଧିକାଂଶ ମଣ୍ଡିରେ ମନମାନୀ ଚାଲିଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ପହଞ୍ଚିଥିଲେ କଣ୍ଟବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ପୂରା ଜିଲ୍ଲାର ମଣ୍ଡିଗୁଡ଼ିକରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟା ନେଇ ସେ ଦାବିପତ୍ର ଧରି ପହଞ୍ଚିଥିଲେ। ମିଲର୍ସଙ୍କ ମନମାନୀ ଓ କଟନି ଛଟନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଫୋନରେ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏପରିକି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁଜା ଏହା ପୂର୍ବରୁ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପେନ୍ଥାପେନ୍ଥା ଅଭିଯୋଗ ସବୁ ପାଇଥିଲେ। ଚାଷୀଙ୍କ ମୁଖ୍ୟ ଅଭିଯୋଗ ଥିଲା କଟନି ଛଟନ। କୁଇଣ୍ଟାଲ ପିଛା ଦଶ କେଜି ଧାନ କଟାଯାଉଥିବା ଚାଷୀ ଅଭିଯୋଗ କରିଥିଲେ। ଏପରିକି କଣ୍ଟାବାଞ୍ଜି ଅଂଚଳରେ ଅନେକ ସ୍ଥାନରେ ଘରୋଇ ଜାଗାରେ ପେକ୍ସ ଖୋଲାଯାଇ ଧାନ କିଣାଯାଉଥିବା ସେ ଅଭିଯୋଗ ଚାଷୀଙ୍କଠାରୁ ପାଇଥିବା କହିଛନ୍ତି। ଧାନକିଣା ପ୍ରକ୍ରିୟାରେ ସୁଧାର ଆଣିବାକୁ ସେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ସେ ଦାବି ପତ୍ର ଦେଇଛନ୍ତି। ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମଧ୍ୟ ମିଲର୍ସଙ୍କ ମନମାନୀକୁ ନେଇ କଥା ଉଠାଇଛନ୍ତି। କଟନି ଛଟନି ଚାଲିଛି ଓ ଏହା ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି। ଦୁଇଦିନ ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଚୁଡ଼ାପାଲି ମଣ୍ଡିକୁ ଗସ୍ତ କରିଥିଲେ। ପ୍ରଥମେ ଚାଷୀଙ୍କ ସହ ଆଲୋଚନା କରି କାଗଜପତ୍ର ଯାଞ୍ଚ କରିଥିଲେ। କଟନି ଛଟନି ଚାଲିଥିବା ଚାଷୀ ଅଭିଯୋଗ କରିଥିଲେ। ଚାଷୀମାନେ ସବୁ ପ୍ରକାର ଅବ୍ୟବସ୍ଥାକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମିଶ୍ର ଷ୍ଟାଣ୍ଡିଂ କମିଟିରେ ଆଲୋଚନା କରାଯିବ ଏବଂ ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ମୋଟାମୋଟି ଏବେ ଜିଲ୍ଲାର ବିଧାୟକମାନେ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି।