-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
(ପ୍ରେରଣା ଖବର) ବରଗଡ଼: ସହର ଉପକଣ୍ଠସ୍ଥ ଟୁକୁର୍ଲାଠାରେ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ଚିକିତ୍ସାସେବାରେ ଏକ ମାଇଲ୍ଖୁଣ୍ଟ ହେବ ବୋଲି ଆକଳନ କରାଯାଉଛି। ୬ ତାଲା ବିଶିଷ୍ଟ ଏହି କୋଠା ଆଗକୁ ମେଡିକାଲ୍ କଲେଜ୍ରେ ମଧ୍ୟ ରୂପାନ୍ତରିତ ହୋଇପାରେ। ବର୍ଷେ ହୋଇନି ଏହି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇଛି। ସବୁ ଅତ୍ୟାଧୁନିକ ସୁବିଧା ଥିଲେ ହେଁ ଏଠାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ବିଜୁଳି କଟିଲେ ଡିଜି କାମ କରୁନାହିଁ। ଫଳରେ ମୋବାଇଲ୍ ଲାଇଟ୍ ଜାଳି ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି। ସୂଚନା ମୁତାବକ, ଦୀର୍ଘ ୮ ଦିନ ହେଲା ଡାକ୍ତରଖାନାରେ ଏଭଳି ସମସ୍ୟା ଲାଗି ରହିଛି। ଗତ ୯ ତାରିଖ ଦିନ ଏଠରେ ଥିବା ୫ଶହ କେଭି କ୍ଷମତାର ଡିଜି ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ ବିଭ୍ରାଟ ହେଲେ ଡାକ୍ତରଖାନା ଅନ୍ଧାର ଘେରରେ ରହୁଛି। ଡିଜି ସଜାଡ଼ିବା ପାଇଁ ସଂପୃକ୍ତ କମ୍ପାନିକୁ ପ୍ରାୟ ୭୦ ହଜାର ଟଙ୍କା ଅଗ୍ରିମ ଦେବା ପାଇଁ ଫାଇଲ୍ କାମ ଆରମ୍ଭ ହୋଇଛି। ତେବେ ଏସବୁ ପ୍ରକ୍ରିୟା ଆହୁରି ୩/୪ ଦିନ ଚାଲିବ। ଫଳରେ ଚିକିତ୍ସାଳୟ ଏଭଳି ଅନ୍ଧାରରେ କାମ ଚାଲିବ। ଚିକିତ୍ସାଳୟ ପରିସରରେ ଆଉ ଗୋଟିଏ ୧୫୦ କେଭି କ୍ଷମତାର ଡିଜି ରହିଛି। କିନ୍ତୁ ଏହାର ସଂଯୋଗ ହୋଇନାହିଁ। ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଏନେଇ ପୂର୍ବରୁ ଡାକ୍ତରଖାନା କର୍ତୃପକ୍ଷ ଅବଗତ କରିଥିଲେ ହେଁ ଜରୁରୀ ସ୍ଥିତିରେ କାମ କରିବା ପାଇଁ ଥିବା ଏହି ଡିଜି ବିନା ସଂଯୋଗରେ ପଡ଼ି ରହିଛି। ଯଦ୍ବାରା ରୋଗୀ ପରିଜନ ଅସୁବିଧା ଭୋଗୁଥିବା ବେଳେ ଡାକ୍ତର ଏବଂ କର୍ମଚାରୀ ମଧ୍ୟ ହଇରାଣ ହେଉଛନ୍ତି।