-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
16-Aug-2022
ବଲାଙ୍ଗୀର(ପୂର୍ଣ ଶଶୀ ଶେଖର ରାଓ): ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଲାଳୀ, ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗୀର ସର୍କଲସ୍ତରୀୟ ସଂଘର କର୍ମକର୍ତ୍ତା ସଭାରେ ନିଷ୍ପତ୍ତି ନିଆ ଯାଇଛି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ସଭାପତିତ୍ବରେ ବଲାଙ୍ଗୀର ଯାଦବ ଭବନ ଠାରେ ପଦ୍ମପୁର, ଖରିଆର, ଟିଟିଲାଗଡ, ପାଟଣାଗଡ, ବଲାଙ୍ଗୀର, କଳାହାଣ୍ଡି କେନ୍ଦୁପତ୍ର ଡିଭିଜନର ଶତାଧିକ ସଂଘର କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଖରିଆରୁ ଯଦୁମଣି ପାଣିଗ୍ରାହୀ, ପାଟଣାଗଡରୁ ଶିବାନନ୍ଦ ପରିଛା, କଳାହାଣ୍ଡିରୁ ଚିରାଗ ସିଂଦେଓ, ଟିଟିଲାଗଡରୁ ଛବିଳ ସିଂ ଚିନ୍ଦା,
ଚିତ୍ରସେନ ବଗର୍ତ୍ତି ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୨୦୧୩ ମସିହାରେ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ "ଚାକିରୀ ସର୍ତ୍ତାବଳୀ" ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଇ ନଥିବାରୁ ଓଡ଼ିଶା ସରକାରଙ୍କ ଏଭଲି ଆଭିମୁଖ୍ୟକୁ ସଭାରେ ଘୋର ନିନ୍ଦା କରା ଯାଇଥିଲା । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟରେ ଶ୍ରମିକ ମଙ୍ଗଳ ପାଣ୍ଠିରୁ ପୂର୍ବ ପରି କେନ୍ଦୁପତ୍ର ତୋଲାଳୀ ପରିବାରର ପୁଅଝିଅ ମାନଙ୍କୁ ଛାତ୍ରବୃତ୍ତି ଓ ବିବାହ ସହାୟତା ଯୋଗାଇ ଦେବା, ଛତିଶଗଡ ରାଜ୍ୟ ପରି କେନ୍ଦୁପତ୍ର ସଂସ୍ଥାରୁ ହେଉଥିବା ଆୟର ୧୦୦ ଭାଗ ବୋନସ ତୋଲାଳୀ ଓ ଶ୍ରମିକ ମାନଙ୍କୁ ଯୋଗାଇ ଦେବା, କେନ୍ଦୁପତ୍ର ସଂସ୍ଥାକୁ ବିଭିନ୍ନ ଡିଭିଜନରେ ଚାଳିଥିବା ଘରୋଇକରଣକୁ ସଂପୂର୍ଣ୍ଣ ବନ୍ଦ କରିବା, ସର୍କଲସ୍ତରରେ ଖାଲିଥିବା ହେଡ ଚେକର,ସର୍କଲ ଚେକର ପଦବୀ ପୁରଣ କରିବା, ହେଡ ଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଦି ପ୍ରସ୍ତାବ ପାରିତ ହୋଇଛି । ଏହି ଦାବୀକୁ ନେଇ ଓଡ଼ିଶା ସରକାର ଓଡ଼ିଶାର ୧୩ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ କରୁଥିବା ପ୍ରତାରଣା ବିରୋଧରେ ଦୁର୍ବାର ଆନ୍ଦୋଳନ ପାଇଁ ସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରା ଯାଇଛି । ସଭାପରେ ବଲାଙ୍ଗୀର ସର୍କଲର ବିଭିନ୍ନ ସମସ୍ୟାକୁ ବଲାଙ୍ଗୀର କେନ୍ଦୁପତ୍ର ସିସିଏଫ ପ୍ରଦୀପ କୁମାର ମହାପାତ୍ରଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ ।