-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ତହସିଲ ଅନ୍ତର୍ଗତ ସୁବଳୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ କର୍ମଚାରୀ ଅଭାବ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଛି। କାର୍ଯ୍ୟଳୟରେ ଜଣେ ମାତ୍ର ରାଜସ୍ୱ ନିରୀକ୍ଷକ ଙ୍କୁ ନେଇ ଚାଲିଥିବା ବେଳେ ବାକି ୪ ପଦବୀ ଦୀର୍ଘ ଦିନ ହେଲା ଖାଲି ରହିଅଛି। ଏଠାରେ ଜଣେ ରାଜସ୍ୱ ନୀରିକ୍ଷକ ସାଙ୍ଗକୁ ଜଣେ ସହକାରୀ ରାଜସ୍ୱ ନିରୀକ୍ଷକ , ଜଣେ ଅମିନ, ଜଣେ ଚେନ ମ୍ୟାନ ଓ ଜଣେ ପିଅନ ରହିବା କଥା। ବର୍ତ୍ତମାନ ଜଣେ ରାଜସ୍ୱ ନୀରିକ୍ଷକ ଥିବା ବେଳେ ବାକି ପଦ ସବୁ ଖାଲି ରହିଅଛି। ୪ ଟି ପଞ୍ଚାୟତର ୨୯ ଖଣ୍ଡ ରାଜସ୍ୱ ଗ୍ରାମର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ପିତାମହୁଲ , ସୁବଳୟା,କମିରା ଓ ଜଟେସିଂହା ପଞ୍ଚାୟତ ଗୋଟିଏ ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗ୍ରାମ ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ଛାତ୍ରଛାତ୍ରୀ ଆୟଗତ, ଜାତିଗତ ଓ ବାସସ୍ଥାନ ପ୍ରମାଣ ପତ୍ର ତଥା ସ୍ଥାନୀୟ ଲୋକେ ଜମି ବାଡ଼ି ସମ୍ପର୍କିତ କାଗଜପତ୍ର ପାଇଁ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ଏକମାତ୍ର ରାଜସ୍ୱ ନିରୀକ୍ଷକ ଜଣକ ରାଜସ୍ୱ କାମ ସାଙ୍ଗକୁ ଧାନ ଚାଷ ଓ କପା ଚାଷ ହୋଇଥିବା ଜମିର ଚିହ୍ନଟ କରିବା ତଥା ମରୁଡି, ବନ୍ୟା ଓ ବାତ୍ୟା ସମୟରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଏପରି ସ୍ଥିତିରେ ସେ ସବୁବେଳେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସମ୍ଭବପର ହେଉ ନାହିଁ। ଅନ୍ୟପକ୍ଷରେ ସାଧାରଣ ଲୋକେ କାମ ପାଇଁ ଆସି ସେବା ପାଇବାରୁ ନଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।