-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ )
ଶୀତଳଷଷ୍ଠୀ ଯାତ୍ରା ଶେଷ ହେବାର ସପ୍ତାହେ ପରେ ଜୁନ୍ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ଏହାର ଦୃଢ଼ ବିରୋଧ କରିଛି I ବୁଧବାର ସଂଧ୍ୟାରେ ଆରଣ୍ୟକ ମଣ୍ଡପଠାରେ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ବସି ଏହାର ବିରୋଧ କରାଯାଇଥିଲା I ଏହାପରେ ସମନ୍ବୟ ସମିତି ତରଫରୁ ଜାରି ଏକ ବିବୃତିରେ କହାଯାଇଛି ଯେ ଶୀତଳଷଷ୍ଠୀର ଇତିହାସ, ପରଂପରା ସଂପର୍କରେ ନଜାଣି କିଛି ଲୋକ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଗ୍ରହଣୀୟ ନୁହେଁ I ଶୀତଳଷଷ୍ଠୀ ଯାତ୍ରାର ଏକ ପ୍ରକ୍ରିୟା ରହିଛି I ଏହା ନିର୍ଦ୍ଦିଷ୍ଟ ତିଥି ଓ ଲଗ୍ନରେ ଆୟୋଜନ ହୁଏ I ଅକ୍ଷୟ ତୃତୀୟାରେ ଥାଳଉଠାରୁ ଆରମ୍ଭ ହୋଇ ପତରପେଣ୍ଡି, ଦେବନିମନ୍ତ୍ରଣ, ଗଇଁଠାଳ ଫିଟା, ବରଯାତ୍ରୀ, ବିବାହ, ଯୁଗଳଦର୍ଶନ ଶୋଭାଯାତ୍ରା ଓ ମନ୍ଦିର ପ୍ରବେଶ ଆଦି ନୀତି ବିଧି ଅନୁଯାୟୀ ପାଳନ କରାଯାଏ I ତେଣୁ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶର ସପ୍ତାହେ ପରେ ମଞ୍ଚ ଉପରେ ନାଚଗୀତ କରି ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନ କରିବାର ଉଦ୍ଦେଶ୍ୟ କଣ ବୋଲି ସମିତି ପ୍ରଶ୍ନ କରିଛି I ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହୋଇ ରତ୍ନବେଦୀରେ ବିଜେ କଲା ପରେ ଓଡ଼ିଶାର କୌଣସି ଗାଁ କି ସହରରେ ଏଭଳି କାର୍ଯ୍ୟକ୍ରମ କେହି ଆୟୋଜନ କରନ୍ତି ନାହିଁ I ତେଣୁ ସମ୍ବଲପୁରବାସୀଙ୍କ ଭାବାବେଗ ସହ ଖେଳିବାରୁ ଆୟୋଜକମାନେ କ୍ଷାନ୍ତ ରହନ୍ତୁ ଓ ସେମାନଙ୍କୁ ଯଦି ମେଳା, ମହୋତ୍ସବ ଆୟୋଜନ କରିବାର ଅଛି ତାହେଲେ ଅନ୍ୟ କୌଣସି ନାଁରେ ଆୟୋଜନ କରନ୍ତୁ ବୋଲି ସମିତି ପରାମର୍ଶ ଦେଇଛି I ସମିତିର ବୈଠକରେ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ଫଣୀଭୂଷଣ ମିଶ୍ର, ପ୍ରଶାନ୍ତ ବରେଇ, ସୁନୀଲ ଦାଶ, ଜଗଦୀଶ ପଣ୍ଡା, ଅଭିଷେକ ମିଶ୍ର ପ୍ରମୁଖ ସାମିଲ ଥିଲେ I