-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
05-May-2023
ବୀରମହାରାଜପୁର, ( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ବାଇପାସ୍ ଛକ ନିକଟରେ ଆଜି ଭୋର ସକାଳ ସମୟ ସୁବଳୟା ପୋଲିସ ପାଟ୍ରୋଲିଂ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବରଗଛକୁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ଅଧିକାରୀ ଗୁରୁତର ଆହତ ହେବା ସହ ଆଉ ଜଣେ ଅଧିକାରୀଙ୍କ ସହ ୩ ଗୃହରକ୍ଷୀ ଆହତ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ମାନେ ହେଲେ ସୁବଳୟା ଥାନା କନିଷ୍ଠ ଅଧିକାରୀ ଦୀପ୍ତି ରଞ୍ଜନ ଦିଗାଲ,ଏ ଏସ ଆଇ ସନ୍ତୋଷ
ସିନ୍ଦିରିଆ, ନିରଞ୍ଜନ ସେଠୀ, ରମେଶ ସେଠୀ ଓ ପୀତବାସ ଭୋଇ ପ୍ରମୁଖ ଉକ୍ତ ଗାଡ଼ିରେ ପାଟ୍ରୋଲିଂ ସାରି ଥାନା ଅଭିମୁଖେ ଫେରୁଥିଲେ।
ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀ ଦିଗାଲ ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଲାମଣି ଭୋଇ ଓ ସୁବଳୟା ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି
ଦୁର୍ଘଟଣାର ଅଧିକ ତଦନ୍ତ କରିବା ସହ ଉକ୍ତ ଗାଡିକୁ ଜବତ କରିଥିଲେ । ଉକ୍ତ ଥାନା ରେ କାର୍ଯ୍ୟରତ ଦୁଇ ଜଣ ଡ଼୍ରାଇଭର ଥିଲେ ମଧ୍ୟ କେଉଁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପାଟ୍ରୋଲିଂ ସମୟରେ ତାଙ୍କୁ କାହିଁକି ନିଆଗଲା ନାହିଁ । ଏବଂ ଜଣେ ପୋଲିସ ଅଧିକାରୀ ବିନା ତାଲିମରେ ଗାଡ଼ି ଚଲାଇ ପାଟ୍ରୋଲିଂ ସମୟରେ ଯିବା ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ସନ୍ଧେହ ପ୍ରକାଶ ପାଉଛି। ଏହି ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଧକ୍କା ଦେଇ ଫେରାଲ ମାରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।