-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) ବୌଦ୍ଧ ଜିଲାରେ ବନ୍ୟାଜନିତ କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଡଃ. ସାମନ୍ତ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିଥିବାରୁ ଜିଲାର ଅଧିକାରୀମାନଙ୍କ ପ୍ରଶଂସା କରିଥିଲେ । ବୈଠକରେ ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲାପାଳ ସତ୍ୟ ରଞ୍ଜନ ସାହୁ ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଥିଲେ । ସୂଚନା ମୁତାବକ ଗତ ବନ୍ୟାରେ ଜିଲାର ତିନୋଟି ବ୍ଲକର ୫୧ ଟି ପଞ୍ଚାୟତ ଅନ୍ତର୍ଗତ ୨୨୨ ଟି ଗ୍ରାମର ୬୧୩୫୩ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବନ୍ୟା ସମୟରେ ୪୦୫୧ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟ ପ୍ରଦାନ କରାଯାଇଥିବାବେଳେ ୬୩୨୭ ଜଣଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ବନ୍ୟା ପରିସ୍ଥିତି ସମୟରେ ୭ ଗୋଟି ମେଡିକାଲ ଟିମ୍ ଓ ୩ ଗୋଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଜରୂରୀ ଔଷଧପତ୍ର ବଣ୍ଟନ କରାଯାଇଥିଲା । ସେହିପରି ୫୫ ଟି ଖୋଲା କୁପ ଓ ୧୬୬୪ ଟି ନଳକୂପକୁ ବିଶୋଧନ କରାଯାଇଥିଲା । ବନ୍ୟା ଦ୍ୱାରା ତିନି ବ୍ଲକର ୧୧୨୯୪ ଟି ପଶୁ ସହିତ ୩୫ ଟି ପକ୍ଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ୮ଗୋଟି ଟିମ୍ ଗଠନ କରାଯାଇ ୬୭ ଗୋଟି ଶିବିର ଜରିଆରେ ୫୫୨୧ ଟି ପଶୁ ପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା । ବନ୍ୟା ସମୟରେ ୧୪.୫୫ ମେଟ୍ରିକ ଟନ ପଶୁଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ୭୬୦୦ ଟୀକାକରଣ କରାଯାଇଛି । ବନ୍ୟାରେ ୪ଟି ପଶୁଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି । ବୈଠକରେ ଦିଆଯାଇଥିବା ତଥ୍ୟ ମୁତାବକ ଜିଲାର ତିନୋଟି ବ୍ଲକରେ ୨୮୮୫ ହେକ୍ଟର ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୮୮ ହେକ୍ଟର ଜମିରେ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୨୧୫ ହେକ୍ଟର ଜମିରେ ହୋଇଥିବା ଉଦ୍ୟାନ କୃଷି ନଷ୍ଟ ହୋଇଥିବା ପ୍ରାଥମିକ ଭାବରେ ଆକଳନ କରାଯାଇଛି । ବନ୍ୟାରେ ୪୭ ଟି ପଞ୍ଚାୟତର ୫୮.୩୦ କିଲୋମିଟର ରାସ୍ତା କ୍ଷତ୍ରିଗସ୍ତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧୬୫.୪୦ ଲକ୍ଷ ଟଙ୍କା ଆକଳନ କରାଯାଇଛି । ସେହିପରି ମତ୍ସ୍ୟ ବିଭାଗ ପକ୍ଷରୁ ୪୨୯୨୦ ଟଙ୍କାର ବନ୍ୟା ଜନିତ କ୍ଷତି ଆକଳନ କରାଯାଇଥିବା ଜଣାଯାଇଛି । ଜିଲାରେ ବିଶେଷ ଭାବରେ ପାନୀୟଜଳର ଘୋର ସଙ୍କଟ ଥିବା ସାଂସଦ ଡଃ. ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୁଷିତ ପାନୀୟଜଳ କାରଣରୁ ବହୁ ସଂଖ୍ୟାରେ ରୋଗୀ କିଡନୀ ଭଳି ରୋଗରେ ପିଡିତ ହୋଇ ମୃତ୍ୟୁର ଶିକାର ହେବା ସହିତ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ହେବାକୁ ବାହାରକୁ ଯାଉଥିବା ବୈଠକରେ ସୂଚନା ଦିଆଯିବାପରେ ଏହାକୁ ନେଇ ଡଃ. ସାମନ୍ତ ଉଦବେଗ ପ୍ରକାଶ କରିବା ସହିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ ଏହାର
ନିରାକରଣ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଉପଜିଲାପାଳ ସନତ କୁମାର ନାଏକଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ବ୍ଲକର ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା ଓ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ସର୍କିଟ ହାଉସଠାରେ ପହଞ୍ଚି ସାଂସଦ ଡଃ. ସାମନ୍ତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।