-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧିନ ଫେଡେରେସନ ମାନଙ୍କ ଡାକରାରେ ସର୍ବ ଭାରତୀୟ ସ୍ତରରେ ଭାରତ ବନ୍ଦକୁୁ ସଫଳ ରୂପ ଦେବା ପାଇଁ ବଲାଙ୍ଗିର ଜିଲ୍ଲା ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ଅଫ୍ ବଲାଙ୍ଗିର ର ନେତୃତ୍ୱରେ ସର୍ବ ଭାରତୀୟ ସମ୍ବିଧାନ ଦିବସ ଅବସରରେ ପିକେଟିଂ ଓ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧି, ଶ୍ରମିକ ଓ ଶ୍ରମିକ ବିରୋଧି ଓ ଜନବିରୋଧି ନୀତିର ପ୍ରତିବାଦ କରାଯାଇ କେନ୍ଦ୍ରରେ ମୋଦୀ ସରକାରର ଅଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରାଯାଇଥିଲା । ଶ୍ରମିକମାନଙ୍କ ଆନ୍ଦୋଳନ ଦ୍ୱାରା ଅର୍ଜିତ ଆଇନଗତ ଅଧିକାରକୁ ଲୋପ କରିଦେଇ ୪୪ଗୋଟି ଶ୍ରମ ଆଇନକୁ ପୁଞ୍ଜିପତିଙ୍କ ସ୍ୱାର୍ଥରେ ୪ଗୋଟି, ଲେବର କୋଡ ରେ ପରିଣତ କରିବା ଦ୍ୱାରା ସମଗ୍ର ଭାରତ ବର୍ଷରେ ୯୦ ପ୍ରତିଶତ ଶ୍ରମିକ ଆଇନଗତ ସୁବିଧା ସୁଯୋଗରୁ ବଂଚିତ ହେବେ । ଏହା ଦ୍ୱାରା ବିଦେଶୀ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସ୍ୱାର୍ଥ ସାଧନ କରାଯିବାକୁ ମୋଦୀ ସରକାରର ଲକ୍ଷ ରହିଛି । ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା, ଉତ୍ପାଦନ କ୍ଷେତ୍ର, କୋଇଲା, ଖଣି, ବିଦ୍ୟୁତ, ତୈଳ, ବିମାନ ବନ୍ଦର ଆଦିକୁ ଘରୋଇକରଣ ଦ୍ୱାରା ଶିଳ୍ପପତିମାନେ ଲାଭାନ୍ୱିତ ହେବେ । ଏହା ହାତ ଗଣତି କର୍ପୋରେଟମାନଙ୍କ ହାତରେ ଟେକି ଦେବା ପାଇଁ ବିଜେପି ସରକାର ଚକ୍ରାନ୍ତ ଜାରି ରଖିଛନ୍ତି । ଶ୍ରମିକମାନଙ୍କୁ ଛଟେଇ କରିବା ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଦେଶରେ କୃଷି ଓ କୃଷକ ସଂପ୍ରଦାୟ ଉପରେ ଭୟାବହ ଆକ୍ରମଣ କରାଯାଇଅଛି । ଚାଷୀ ଫସଳ ଦରକୁ ସରକାରୀ ଭାବରେ ସ୍ଥିର କରାନଯାଇ ବଡବଡ ବ୍ୟବସାୟୀଙ୍କ ହାତରେ ଅର୍ପଣ କରିଦେବା ପାଇଁ ବିଜେପି ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଯାଇଛି । କୃଷି ସମ୍ପୁର୍ଣ୍ଣ କେନ୍ଦ୍ର ସରକାରଙ୍କ କ୍ଷମତାସୀନ ହୋଇନଥିବା ବେଳେ କେନ୍ଦ୍ର ସରକାର କୃଷି ଆଇନ ପ୍ରଣୟନ ବେଳେ କୌଣସି ରାଜ୍ୟ ସରକାରଙ୍କ ପରାମର୍ଶ ନେଲେ ନାହିଁ । କଣ୍ଟାକ ଫାର୍ମ ବ୍ୟବସ୍ଥା ପ୍ରଚଳନ ପାଇଁ ଚାଷୀଙ୍କ ଜମିକୁ ଫାର୍ମ ମାଲିକଙ୍କୁ ହସ୍ତାନ୍ତର ପାଇଁ ଚକ୍ରାନ୍ତ କରାଯାଉଛି । ଅତ୍ୟାବଶ୍ୟକ ସମଗ୍ରୀ ଆଇନ ୧୯୫୫ ରଦ୍ଦ କରିଦେବା ଯୋଗୁଁ ଖାଦ୍ୟ ସାମଗ୍ରୀ ମହଜୁଦକାରୀ ବ୍ୟବସାୟୀମାନେ ନିଜ ମର୍ଜିରେ ଖାଦ୍ୟ ସାମଗ୍ରୀର ମୁଲ୍ୟ ନିର୍ଦ୍ଦାରଣ କରିବେ । ଫଳରେ ସମଗ୍ର ଖଟିିଖିଆ, ଗରିବ ଓ ଚାଷୀ ଅଧିକରୁ ଅଧିକ ଆର୍ଥିକ କ୍ଷତିଗ୍ରସ୍ତ ହେବେ । ଆମ ଦେଶରେ ଲକ୍ଷ ଲକ୍ଷ ବେରୋଜଗାର ଶ୍ରମିକମାନେ ପ୍ରତିମାସ ବଜାରକୁ ପ୍ରବେଶ କରୁଆସୁଛନ୍ତି । ସେମାନଙ୍କୁ ରୋଜଗାର ଦେବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବେକାର ଶ୍ରମିକମାନଙ୍କ କପାଳରେ ହିନ୍ଦୁତ୍ୱ ଟିକା ଲଗାଇବା ଉଦ୍ୟମ କରାଯାଉଛି । ପ୍ରବାସୀ ଶ୍ରମିକଙ୍କୁ କୋଭିଡ୍ ସମୟରେ ଘୋଷଣା ହୋଇଥିବା ୧୫୦୦ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାରେ ସମ୍ପୁର୍ଣ୍ଣ ବିଫଳ ରହିଛି । ଅନ୍ୟ ରାଜ୍ୟମାନଙ୍କରେ ୧୦ହଜାର ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକଙ୍କୁ କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ୧୫୦୦ ଟଙ୍କା ବାଣ୍ଟିବାରେ ବିଫଳ ସରକାର ବାହ ବାହ ନେଉଛି । ଏଭଳି ଅନେକ ଜନବିରୋଧି ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୟୁନାଇଟେଡ୍ ୟୁନିୟନ ଅଫ୍ ବଲାଙ୍ଗିରର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ସଭାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘର ସଭାପତି ପ୍ରେମାନନ୍ଦ ଭୋଇ, ୟୁଜିବି ବ୍ୟାଙ୍କ ଏସୋସିଏସନର ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଜିତ ଭାରତ ଗଡତ୍ୟା, ସିଟୁ ରୁ ଅନିରୁଦ୍ଧ ମହାପାତ୍ର, ଅଶ୍ରୁ ସଂପାଦକ ସୁରୁଲାଲ ମଟାରୀ, ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ପଶ୍ଚିମ ଓଡିଶା ବିଜୁଳି ଶ୍ରମିକ ସଂଘ ଜ୍ୟୋତି ରଂଜନ ମହାନ୍ତି, ଶେକ୍ ଅଲିମୁଦ୍ଧିନ, ପଶ୍ଚିମାଞ୍ଚଳ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସଭାପତି ମନୋରଂଜନ ସାହୁ,ରବି ମିଶ୍ର ଭିଲେଜର୍ସ ଇଣ୍ଡିଆ ପାର୍ଟିର ରାଜ୍ୟ ସଭାପତି ବିପିନ କୁଶଲିଆ, ଏଆଇଡିଏସଓ ସୁନିଲ ଭୋଇ, ଲକ୍ଷ୍ମୀଧର ସାହୁ, କୁଶପୃଷ୍ଟି ବାଗ, ଚନ୍ଦ୍ରକାନ୍ତି ସାହୁ, ଚକାଚରଣ ମାଝି, ପୂର୍ଣ୍ଣଚନ୍ଦ୍ର ବାଗ ପ୍ରମୁଖ ସାମିଲ ଥିଲେ ।