-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
18-Feb-2025
ବଲାଙ୍ଗୀର(ପ୍ରେରଣା ଖବର): ଓଡ଼ିଶା ମହିଳା କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ବଲାଙ୍ଗୀର ଏ ଦିଗରେ ଆଉ ଏକ ପାଦ ଆଗେଇଛି। ଆସନ୍ତା ଫେବ୍ରୁଆରି ୨୩ ଓ ୨୪ ଦୁଇଦିନ ଧରି ଗାନ୍ଧି ଷ୍ଟାଡିୟମରେ ଓଡ଼ିଶାର ବହୁ ଶ୍ରେଷ୍ଠ ମହିଳା କ୍ରିକେଟର ଏକାଠି ହେବେ। ସ୍ଥାନୀୟ ଅଗ୍ରଣୀ ମହିଳା ସଂଗଠନ ନାରୀଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଜିଲ୍ଲା କ୍ରିଡ଼ା ସଂସଦ ସହଯୋଗରେ ଦୁଇଦିନ ଧରି ଏକ ରାଜ୍ୟସ୍ତରୀୟ ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଏଥିରେ ଆୟୋଜକ ବଲାଙ୍ଗୀର ଏକାଦଶ, ଭୁବନେଶ୍ବରର ଦୁଇଟି ଦଳ ଓ ରାଉରକେଲାର ଗୋଟିଏ ଦଳ ଭାଗ ନେବେ। ଉଭୟ ଦିନ ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ଏହି ଦିବସବ୍ୟାପୀ ନକ୍-ଆଉଟ ଟୁର୍ଣ୍ଣାମେଣ୍ଟ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବା ଆଶା କରାଯାଉଛି। ବିଜେତା, ଉପବିଜେତା, ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବ୍ୟାଟର, ଶ୍ରେଷ୍ଠ ବୋଲର ଆସି ବିଭିନ୍ନ ଆକର୍ଷଣୀୟ ପୁରସ୍କାର ରହିଥିବା ନେଇ ଫାଉଣ୍ଡେସନର ସଂପାଦିକା ନୂତନ ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ, ବିଶେଷ କରି ମହିଳା କ୍ରିକେଟରେ ବଲାଙ୍ଗୀରର ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ପ୍ରଥମ ଦୁଇଜଣ ମହିଳା କ୍ରିକେଟର ଭାବେ ମାଧୁରୀ ମେହେଟ୍ଟା ଓ ପରେପରେ ରୋସନାରା ପରୱିନ ଅତୀତରେ ଏକାଧିକ ଥର ଜାତୀୟ ସିନିୟର କ୍ରିକେଟ ଦଳର ପ୍ରତିନିଧିତ୍ବ କରିଥିବା ବେଳେ ସରିତା ମେହେର ପୂର୍ବାଞ୍ଚଳ ସିନିୟର ଜୋନାଲ ଦଳର ପ୍ରତିନିଧିତ୍ବ କରିଛନ୍ତି। ମାଧୁରୀ ମଧ୍ୟ କିଛିକାଳ ରାଜ୍ୟ ଦଳର ଅଧିନାୟିକା ରହିବା ସହ ଦେଶର ଅନ୍ୟତମ ପ୍ରମୁଖ ବ୍ୟାଟର ଭାବେ ଘରୋଇ କ୍ରିକେଟ ଋତୁରେ କ୍ରମାଗତ ସର୍ବାଧିକ ରନ୍-ସ୍କୋରର ତାଲିକାର ଶୀର୍ଷସ୍ଥାନମାନଙ୍କରେ ରହିଆସୁଛନ୍ତି। ଗତ ପ୍ରାୟ ଦେଢ଼ଦଶନ୍ଧି ଧରି ଓଡ଼ିଶା ସିନିୟର ଏକାଦଶରେ ବଲାଙ୍ଗୀର ଦଳର ୫-୬ ଜଣ ଖେଳାଳି ନିୟମିତ ସ୍ଥାନ ପାଇଆସୁଛନ୍ତି। ବଲାଙ୍ଗୀର ମଧ୍ୟ ଅନ୍ତଃଜିଲ୍ଲା ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଙ୍ଗ ଚାମ୍ପିଅନ। ବିଭିନ୍ନ କନିଷ୍ଠ ବର୍ଗରେ ମଧ୍ୟ ବହୁ ସଂଖ୍ୟାରେ ବାଳିକାମାନେ ଉତ୍ତମ ପ୍ରଦର୍ଶନ କରିଆସୁଥିବାରୁ ଆଗକୁ ମଧ୍ୟ ମହିଳା କ୍ରିକେଟରେ ବଲାଙ୍ଗୀରର ପ୍ରାଧାନ୍ୟ ଅବ୍ୟାହତ ରହିବା ନେଇ ଡିଏଏ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ଓ ମହିଳା କ୍ରିକେଟ ପ୍ରଶିକ୍ଷକ ଅରୁଣ ନାଏକ ଆଶାପ୍ରକାଶ କରିଛନ୍ତି। ବଲାଙ୍ଗୀର ମହିଳା କ୍ରିକେଟର ଏହି ଉଜ୍ଜଳ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ କ୍ରିକେଟପ୍ରେମୀମାନେ ବହୁସଂଖ୍ୟାରେ ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଉଭୟ ଦିନ ଷ୍ଟାଡିୟମ ଆସନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।