-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ବଲାଙ୍ଗୀର, ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣରେ ଓ ବିଭିନ୍ନ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ସହ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବଲାଙ୍ଗୀର ନାଗରିକ କମିଟି କ୍ଷୋଭ ପ୍ରକାଶ କରିଛି । ସ୍ଥାନୀୟ ଜେଏସ୍ଏମ୍ ମହାବିଦ୍ୟାଳୟ ଠାରେ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟିରେ ଏ ସମ୍ବନ୍ଧରେ ବିଶଦ ଆଲୋଚନା ହୋଇଥିଲା । ସହରର ବିଭିନ୍ନ ମୁଖ୍ୟ ରାସ୍ତା ଯଥା ରେଲୱେ ଷ୍ଟେସନକୁ ଯାଉଥିବା ରାସ୍ତା ସହ ଅନ୍ୟାନ୍ୟ ରାସ୍ତା ଉପରେ ପୋଲ ନିର୍ମାଣ ହେଉଥିବାରୁ ରାସ୍ତା ଗୁଡିକୁ କଟାଯାଇଛି । ମାସ ମାସ ଧରି ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଓ ପୂର୍ବ ସଙ୍କେତର ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ଦୁର୍ଘଟଣା ସହ ବଡ ବଡ ଯାନ ଫେରି ଆସୁଥିବାର ଓ ଟ୍ରାଫିକ୍ ଜାମ୍ ହେଉଥିବାର ଦେଖାଯାଇଛି । ସେହିପରି ନିର୍ମାଣ କାର୍ଯ୍ୟ ଆଳ ଦେଖାଇ ସ୍ଥାନୀୟ ରାଜେନ୍ଦ୍ର ପାର୍କ ବର୍ଷ ବର୍ଷ ଧରି ବନ୍ଦ ରହିବା, ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଥିବା ଉପକରଣର ସାମାନ୍ୟ ମରାମତିର ଅଭାବ ଓ ମହିଳା ମାନଙ୍କ ପାଇଁ ପରିଶ୍ରାଗାର ର ରକ୍ଷଣାବେକ୍ଷଣ ହେଉ ନ ଥିବା ତଥା ଟାଉନ୍ ହଲ୍ ବନ୍ଦ ହେବା ଘଟଣାକୁ ବଲାଙ୍ଗୀର ନାଗରିକ କମିଟି ଘୋର ନିନ୍ଦା କରିଛି । ଏ ସଂପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ନିଜସ୍ୱ ନକ୍ସା ଶୀଘ୍ର ପ୍ରସ୍ତୁତ କରାଯିବା ପାଇଁ କମିଟି ତରଫରୁ ଦାବି କରାଯାଇଛି । ପ୍ରଥମେ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ କରି ସଭାକୁ ପରିଚାଳନା କରିଥିଲେ । ଆଲୋଚନାରେ ଗଜେନ୍ଦ୍ର ଭ୍ରମର, ଧର୍ମବ୍ରତ ରଥ, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ପଙ୍କଜିନୀ ପଣ୍ଡା, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାୟକ ଓ ଦିବାକର ହୋତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।