-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
18-May-2023
ବଲାଙ୍ଗିର(ଦେବାଶିଷ ବହିଦାର): ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ବଲାଙ୍ଗିର ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଡିଏସପି ଡିଆଇବି ତପନ କୁମାର ରଥ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ସମେତ ବିଦ୍ୟୁତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ପୌର ନିର୍ବାହୀ
ଅଧିକାରୀ, ସମ୍ପୃକ୍ତ ବିଭାଗର ଅଧିକାରୀ ଓ ବଲାଙ୍ଗିର ସହରର ବିଭିନ୍ନ ଶୀତଳଷଷ୍ଠୀ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ଵାଗତ କରିବା ସହ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ଓ ସୁଚାରୁରୂପେ ସମାପନ ହେବ ସେଥିନିମନ୍ତେ ବିଭିନ୍ନ ଶୀତଳଷଷ୍ଠୀ କମିଟି ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସମନ୍ଵୟ ଓ ସହଯୋଗ କାମନା କରିଥିଲେ । ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାହୁ ସମସ୍ତଙ୍କର ସହଯୋଗ ପୂର୍ବକ ଶାନ୍ତିଶୃଙ୍ଖଳା ସହ ଶୀତଳଷଷ୍ଠୀ ଯାତ୍ରା ସମାପନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ ଶ୍ରୀ ନାଗଭୂଷଣ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରି ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ତା ୨୩. ୦୫॰ ୨୦୨୩ ରିଖ ଠାରୁ ୨୬॰ ୦୫ ॰ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେଣୁ ଏହା କିପରି ସୁଚାରୁରୂପେ ସମାପନ ହେବ ସେ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରରେ ବିଦ୍ୟୁତ ସରବରାହ ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ବିଶେଷ କରି ଯେଉଁ ସ୍ଥାନ ମାନଙ୍କରେ ଯାତ୍ରା ଅନୁଷ୍ଠିତ ହେଉଛି ସେଠାରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗିର ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ନିୟନ୍ତ୍ରଣ କରିବା ଓ ରାସ୍ତା ସାରଣୀ ଅନୁସାରେ ଶୋଭାଯାତ୍ରାକୁ ସମ୍ପନ୍ନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥି ନିମନ୍ତେ ସମସ୍ତ କମିଟି ରାସ୍ତା ସାରଣୀ ଓ ଶୋଭାଯାତ୍ରା ର ସମୟ ପ୍ରଦାନ କରିବାକୁ କମିଟି ର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗିର ସହରରେ ଆକସ୍ମିକ ଅଗ୍ନି ନିର୍ବାପନ ନିମନ୍ତେ ତତ୍ପର ରହିବାକୁ ଅଗ୍ନିଶମ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଶୀତଳଷଷ୍ଠୀ ଯାତ୍ରା ସମୟରେ ଯାତ୍ରା ସ୍ଥଳୀ ମାନଙ୍କରେ ଜନସମାଗମକୁ ଦୃଷ୍ଟିରେ ରଖି ଆଶୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଏବଂ ଔଷଧ ସହ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏତଦ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ବଲାଙ୍ଗିର ଉପ ଜିଲ୍ଲାପାଳ ଶ୍ରୀ ନାଗଭୂଷଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।