-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2022
¤ ସୁଇସାଇଡ୍ ନୋଟ୍ ରେ ରହିଛି କ'ଣ ?
¤ ଡିଏନ ଏ ଅମେଳ କଥା ସତ କି ?
¤ କ୍ରାଇମବ୍ରାଞ୍ଚ ତଦନ୍ତର ତନ୍ନତନ୍ନ ତତ୍ପରତାର କାରଣ ?
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଆରମ୍ଭରୁ ତଦନ୍ତରେ ବିଭିନ୍ନ ଘଟଣାରେ ସନ୍ଦେହଜନକ ରହିଆସିଥିବା ବହୁଚର୍ଚ୍ଚିତ ବିବଦମାନ ରାଜ୍ୟରାଜନୀତିରେ ତୁମୁଳ ହଟ୍ଟଗୋଳ ସୃଷ୍ଟି କରିଥିବା କଳାହାଣ୍ଡି ମହାଲିଙ୍ଗର କଲେଜସଂଲଗ୍ନ ସନସାଇନ୍ ସ୍କୁଲ୍ ଅଧ୍ୟକ୍ଷା ବଲାଙ୍ଗୀର ଝରଣୀଗ୍ରାମର ମମିତା ମେହେର ହତ୍ୟାଘଟଣା ଓ ନିକଟରେ ଏହାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦସାହୁର ଧାମନଡଙ୍ଗାସ୍ଥିତ କଣ୍ଟାବାଞ୍ଜି ଉପ- କାରାଗାରରେ କୋର୍ଟତାରିଖ ଦିନ କୋର୍ଟକୁ ଯିବାପୂର୍ବରୁ ସ୍ପଷ୍ଟ ଦିବାଲୋକରେ ବେକରେ ଫାଶୀ ଲଗାଯାଇ ସନ୍ଦେହଜନକ ଭାବରେ ତଥାକଥିତ ଆତ୍ମହତ୍ୟା ଘଟଣା ପୁଣି ଥରେ ଚାଞ୍ଚଲ୍ୟକର ଚର୍ଚ୍ଚାର ଖୋରାକ୍ ଯୋଗାଇଛି !
ରାଜ୍ୟ ଘରୋଇ ବିଭାଗର ଅପରାଧ ଇତିହାସର ସବୁଠୁଁ ବିବଦମାନ ଏହି ଅପରାଧ ଘଟଣାଟିରେ ଖୋଦ୍ ରାଜ୍ୟସରକାର ବନାମ କ୍ଷମତାସୀନ ବିଜୁ ଜନତା ଦଳ ବନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନାମ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ଥାନୀୟ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଯୋଗୁଁ ଏହା ସାରାରାଜ୍ୟରେ ବିପୁଳ ରାଜନୈତିକ ହଟ୍ଟଗୋଳ ସୃଷ୍ଟି କରିଆସିଛି ।
ଆରମ୍ଭରୁ ଏହି ମହାଲିଙ୍ଗ କଲେଜ ତଥା ସ୍କୁଲ୍ ରେ ସେକ୍ସ ରାକେଟ୍ ଚାଲିଥିବା ଭିଡିଓ ଭାଇରାଲ୍ ମମିତା ଓ ତାଙ୍କ ଅନୁଚରଗୋଷ୍ଠୀଙ୍କ ଦ୍ବାରା କରିଯିବା, ମନ୍ତ୍ରୀ ତଥା ଶାସକଦଳର ନେତାଙ୍କ ଘନଘନ କଲେଜକୁ ଗସ୍ତ ଓ ରହଣୀ ସହ ଶାସକଦଳ ତଥା ମନ୍ତ୍ରୀଙ୍କ ଘନିଷ୍ଠ ଅନୁଗତ କଲେଜ ପରିଚାଳନା ପରିଷଦ ସଭାପତି ତଥା ସ୍କୁଲ୍ ପ୍ରତିଷ୍ଠାତା ଗ୍ରାମୀଣ ଠିକାଦାର ଶିକ୍ଷାବ୍ୟବସାୟୀ ଗୋବିନ୍ଦ ସାହୁର କାର୍ଯ୍ୟକଳାପର ଚର୍ଚ୍ଚା, ମମିତା ଓ ଗୋବିନ୍ଦଙ୍କ ମଧ୍ୟରେ ଝଗଡା, କଲେଜ ପରିସରକୁ ଯାଇ ଗୋବିନ୍ଦର ଝିଅ ବାପକୁ ଚପଲରେ ପିଟିବା ଚର୍ଚ୍ଚା, ଶେଷରେ ମମିତା ଚାକିରୀ କରିବନାହିଁ କହି ଝରଣୀ ଘରକୁ ଫେରିଆସି ରହିବା, ପୁଣି କଲେଜରେ ମିଟିଂ ଥିବା ଆଳରେ ତା'କୁ ଟଙ୍କା ପଠାଇ ମମିତାକୁ ଗୋବିନ୍ଦ ଡକାଇନେଇ ଚାନ୍ଦୋତରା ଛକରେ ବସ୍ ରୁ ଓହ୍ଲାଇ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ଘରଥିବା ସହର ଭବାନୀପାଟଣାକୁ ନିଜ କାର୍ ରେ ନେଇଯିବା, ସେଠାରେ ମମିତାକୁ କିଛି ଜିନିଷପତ୍ର କିଣିଦେଇ ମାଣିକ୍ୟେଶ୍ବରୀ ମନ୍ଦିରକୁ ନେଇ ଶପଥ କରାଇବା , ତା'କୁ ମହାଲିଙ୍ଗ କଲେଜକୁ ଫେରାଇଆଣିବା ବାଟରେ କାର୍ ଭିତରେ ଉଭୟଙ୍କ ଭିତରେ ଝଗଡା ପରେ ତଣ୍ଟିଚିପି ହତ୍ୟା କରିଦେବା ପରେ ମମିତାର ମୃତଦେହକୁ ସେ ଠିକାନେଇ ଗାତ ଖୋଳିଥିବା ମହାଲିଙ୍ଗ ହାଇସ୍କୁଲ ପଡିଆର ଗାତରେ ପୋଡିଦେଇ ଜେସିବିରେ ମାଟି ଢାଙ୍କି ପୋତିଦେବା, ମମିତା ଘରକୁ ନ ଫେରିବାରୁ ଓ ନିଖୋଜ୍ ରହିବାରୁ ଘରଲୋକେ ଖୋଜିବାକୁ ଯାଇ କଲେଜରେ ଗୋବିନ୍ଦକୁ ଭେଟି ପଚାରିବାରୁ ଜାଣି ନଥିବା ସଫେଇଦେବା ସହ କେ'ଗାଁ ଥାନାକୁ କଲେଜ କର୍ମଚାରୀଙ୍କ ଦ୍ବାରା ନିଖୋଜ୍ ଏତଲା ଲେଖାଇ ନିଜେ ଥାନାକୁ ଆଗରୁ ପହଞ୍ଚିଯାଇ ପୁଲିସ୍ ଉପରେ ଚାପ ପକାଇବାରୁ ଥାନାରେ ଏତଲା ଗ୍ରହଣ କରା ନଯିବା, ଶେଷରେ ତୁରେକେଲା ଥାନାରେ ମଧ୍ୟ ନିଖୋଜ୍ ଏତଲା ଫେରାଇଦିଆଯିବାରୁ ନିଖୋଜ୍ ର ଘଟଣାସ୍ଥଳ ଚାନ୍ଦୋତରାର ସ୍ଥାନୀୟ ସିନ୍ଧେକେଲାଥାନାରେ ଏତଲା ଦିଆଯିବା ପରେ ସନ୍ଦେହରେ ଗୋବିନ୍ଦକୁ ସେଠାକୁ ନେଇ ପଚରାଉଚୁରା ପାଇଁ ଟିଟିଲାଗଡ ଥାନାକୁ ନିଆଯାଇ ଅଟକ ରଖାଯାଇଥିଲାବେଳେ ହଠାତ୍ ଲାଇନ୍ କଟିବାର ସୁଯୋଗରେ ସନ୍ଦିଗ୍ଧ ଅଭିଯୁକ୍ତ ଗୋବିନ୍ଦ ଥାନାବାରାକରୁ ଫେରାର୍ ହେଇଯିବା, ଗୋବିନ୍ଦ ସହ ଘନିଷ୍ଠ ସ୍ଥନୀୟ ବିଧାୟକ ତଦା ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ଶକ୍ତିମନ୍ତୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଥିରେ ସମ୍ପୃକ୍ତି ଅଭିଯୋଗ, ସେଇ ସମୟରେ ଗୋବିନ୍ଦ ଯାଇ ମହାଲିଙ୍ଗ କଲେଜର ସିସିଟିଭି କଣ୍ଟ୍ରୋଲ୍ ରୁମ୍ ର ତାର ଓପାଡିଦେବା, ବଙ୍ଗୋମୁଣ୍ଡା ଥାନାନ୍ତର୍ଗତ ଝରିଏଲ୍ ନିକଟସ୍ଥ ତା'ର ଭଉଣୀଘରର ଆଖୁବାଡିରୁ ପୁଲିସ୍ ତାକୁ ଦୁଇଦିପରେ ଠାବ କରିବା କହିବା , ପୁଲିସ୍ ର ଗଣମାଧ୍ୟମ ସାମ୍ନରେ କ୍ରାଇମ୍ ସିନ୍ ରିକ୍ରିଏନ୍ ଓ ବଲାଙ୍ଗୀର ଆଣି ଉତ୍ତରାଞ୍ଚଳର ଡିଆଇଜିଙ୍କ ସାମ୍ନାରେ ପରକୀୟା ସମ୍ପର୍କ ଯୋଗୁଁ ସେ କାର୍ ଭିତରେ ତଣ୍ଟିଚିପି ହତ୍ୟା କରି ପୋଡି ପୋତିଥିବା ଅପରାଧ ସ୍ବୀକାର କରିବା, ପରେ ସିନ୍ଧେକେଲାଥାନାର ପୂର୍ବରୁ ଜବତ ହୋଇରହିଥିବା ଗୋବିନ୍ଦର କାର୍ କୁ ଆଉଥରେ ଯାଞ୍ଚ୍ କଲାରୁ ମମିତାର ପଟେ ପାଉଁଜି ବାହାରିବା, ପରେ ତା'ର ଡ୍ରାଇଭର ରାଧେ ଚଣ୍ଡୀ ଗିରଫ ବେଳେ ରାଧେର ସ୍ତ୍ରୀ ଘରେ ଲୁଚାଯାଇଥିବା ଏକ ମହିଳାହାତବ୍ୟାଗ୍ ଓ ନୂଆ ମୋବାଇଲ ଫୋନ୍ ପୁଲିସ୍ କୁ ଦେବା, କେ'ଗାଁ ଥାନାଧିକାରୀଙ୍କ ନିଲମ୍ବନ , ଏତେସତ୍ତ୍ୱେ ମନ୍ତ୍ରୀ ଆଦୌ ମୁହଁ ନ ଖୋଲିବା, ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖଙ୍କ ଏହି କଲେଜ କେଳେଙ୍କାରୀ ଓ ଗୋବିନ୍ଦ ସହ ସମ୍ପର୍କକୁ ନେଇ ତଦନ୍ତକୁ ପ୍ରଭାବିତ କରାଯାଉଥିବା ଓ ଦିବ୍ୟଶଙ୍କରଙ୍କୁ ଗିରଫ ଦାବିରେ ସାରା ରାଜ୍ୟରେ ବିରୋଧୀଦଳଙ୍କ ହୁଲ୍ ସ୍ଥୂଲ୍ ପରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଭବାନୀପାଟଣାରେ ସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଅନ୍ୟତମ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସଭାରେ ବସାଇ କ୍ଲିନ୍ ଚିଟ୍ ଦେବା , ଗୋବିନ୍ଦକୁ ଗିରଫ ପରେ କଣ୍ଟାବାଞ୍ଜି କୋର୍ଟରେ ପୂର୍ବତନ ଆଇନମନ୍ତ୍ରୀ ତଥା ପୂର୍ବତନ ବିରୋଧୀଦଳନେତା, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହାର ତଦନ୍ତ ଦାବି କରି 'ଆବଶ୍ୟକ ପଡିଲେ ସେ କଳାକୋର୍ଟ ପିନ୍ଧିବେ' ବୋଲି ବିବୃତି ଦେବା ପରେ ତାଙ୍କ ସୁପୁତ୍ର ଏଡଭୋକେଟ ଅମରେନ୍ଦ୍ର ମିଶ୍ରଙ୍କୁ କଣ୍ଟାବାଞ୍ଜି କୋର୍ଟରେ
ସ୍ପେଶାଲ୍ ପିପି ନିଯୁକ୍ତି କରାଯିବା, ମଝିରେ ଗୋବିନ୍ଦକୁ ତାଙ୍କ ସ୍ତ୍ରୀଙ୍କ ଅସୁସ୍ଥତା ଆଳରେ ଜାମିନ୍ ଓ ସେ ଗାଁ'ରେ ଜନସମାଗମରେ ବୁଲି ରଥଯାତ୍ରା ଦେଖିଥିବା ସହ ରାଜ୍ୟବାହାରକୁ ଭାଇଜାଗ୍ ଆଦିସ୍ଥାନକୁ ଯିବା, କଣ୍ଟାବାଞ୍ଜି କୋର୍ଟ ରୁମ୍ ରେ ଗୋବିନ୍ଦର ଶୁଣାଣି ସମୟରେ ବଲାଙ୍ଗୀର ଏସ୍ ପି ସଦଳବଳେ ଉପସ୍ଥିତ ରହିବାକୁ ନେଇ ପ୍ରତିପକ୍ଷର ଓକିଲଙ୍କ ଆପତ୍ତି, ଏଇ କିଛିଦିନ ତଳେ ସାକ୍ଷୀଙ୍କୁ ଧମକ ଦେଉଥିବା ଅଭିଯୋଗରେ ଗୋବିନ୍ଦର ସମ୍ପର୍କୀୟ ତଥା ମହାଲିଙ୍ଗ କଲେଜର ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କୁ ଗିରଫ କରି ଜେଲ୍ ରେ ରଖାଯିବା ଏବଂ ଗୋବିନ୍ଦର ଓକିଲଙ୍କ କହିବାନୁଯାୟୀ, ମମିତାର ଦେହାବଶେଷର ଡିଏନଏ ରିପୋର୍ଟ ଅମେଳ ହୋଇଥିବା ଖବର (ଅବଶ୍ୟ ଏହା ଠିକ୍ ନୁହେଁ ବୋଲି ଡିଆଇଜି ଏକ ସଫେଇ ଦେଇଥିବା ପ୍ରକାଶ)ଇତ୍ୟାଦି ଘଟଣାବଳୀ ଘଟିଯାଇଆସିଛି । ଏସବୁ ପରେ ଜେଲ୍ ଭିତରେ କୋର୍ଟତାରିଖରେ ଗୋବିନ୍ଦର ବେକରେ (ଗାମୁଛା ନା ରଶି ସ୍ପଷ୍ଟ ହେଇନାହିଁ ) ଫାଶୀଦେଇ ଏକ ମାଂସକଟା କାଠଗଣ୍ଡିରେ ଚଢି ୫/ ୮ ଫୁଟ୍ ର ଅଳ୍ପଉଚ୍ଚତାର ବାହାର ଝରକାରେ ଝୁଲି ଆତ୍ମହତ୍ୟାକୁ ବିଶ୍ବାସ କରାଯାଇ ପାରୁନାହିଁ ! ଗୋବିନ୍ଦର ପତ୍ନୀ ଓ ପରିବାରବର୍ଗ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଏତଲା ପୂର୍ବକ ଅଭିଯୋଗ କରୁଛନ୍ତି । ଘଟଣାସ୍ଥଳରେ ସିସିଟିଭି ନଥିବା, ଜେଲ୍ କର୍ମଚାରୀଙ୍କ ଅଭାବ ଓ ଛୁଟି, ଜେଲ୍ ଆଇଜିଙ୍କ ବିଭାଗୀୟ ଅବହେଳାକୁ ସ୍ବୀକାର ଓ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ଦାୟିତ୍ୱ ସମାପ୍ତି, ଗୋବିନ୍ଦ କଣ୍ଟାବାଞ୍ଜି ହସ୍ପିଟାଲରେ ପହଞ୍ଚିବା ପର୍ଯ୍ୟନ୍ତ ନିଃଶ୍ବାସପ୍ରଶ୍ବାସ ଚାଲିଥିବା ସମ୍ପର୍କରେ ତାଙ୍କ ଓକିଲ କହିଥିବା ଇତ୍ୟାଦି ସହ ଗୋବିନ୍ଦର ସେଲ୍ ରୁ ଜବତ କାଗଜପତ୍ର ଓ ତା'ର ଜ୍ୟାକେଟ୍ ପକେଟ୍ ରୁ ମିଳିଥିବା ଝିଅପାଖକୁ ଲେଖିଥିବା ମାଟିଆ ଖାମ୍ ଭିତରର ଦୁଇପୃଷ୍ଠାର ଚିଠି ବା ସୁଇସାଇଡ୍ ନୋଟ୍ ରେ କଣ ଲେଖିଯାଇଛି, ତାହା ତାଙ୍କ ଝିଅ ବା ପରିବାରର ଲୋକଙ୍କୁ ଦିଆ ନଯାଇ ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଲୁଚାଉଛି କାହିଁକି ? ସର୍ବୋପରି ସରକାର ଏତେଶୀଘ୍ର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ବା ଜେଲ୍ ବିଭାଗର ମାଜିଷ୍ଟ୍ରେଟ୍ ବା ଜିଲ୍ଲାପାଳଙ୍କ ତଦନ୍ତ ପାଇଁ ଏତେ ତତ୍ପରତା ପ୍ରକାଶ କରିଥିବାର ରହସ୍ୟ ସନ୍ଦେହ ସୃଷ୍ଟି କରୁଛି ବୋଲି ମଧ୍ୟ ଚର୍ଚ୍ଚାରେ ରହିଛି ।
କ'ଣ ରହିଛି ସତରେ ସେ ସୁଇସାଇଡ୍ ନୋଟ୍ ରେ? ଗୋବିନ୍ଦଙ୍କ ପତ୍ନୀ ଏବେ ତାଙ୍କ ମୃତ୍ୟୁପରେ କହିଥିବା ଅନୁଯାୟୀ, ସେ ସତରେ ନିର୍ଦ୍ଦୋଷ ଥିଲେ ? ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ମନ୍ତ୍ରୀଙ୍କ ସମ୍ପର୍କରେ ଥିବ କିଛି ? ଅନ୍ୟ କେହି ତାଙ୍କୁ ପ୍ରରୋଚିତ କରିଥିଲେ ନା ଆଉକେହି ସହ ଅଭିଯୁକ୍ତ ରହିଯାଇଛନ୍ତି ? ନା ଅନ୍ତିମକାଳରେ ସେ ନିଜ ଦୋଷ ସ୍ବୀକାର କରିଯାଇଛନ୍ତି ? ମୃତ୍ୟୁପୂର୍ବରୁ ଜଣେ ସତ୍ୟସ୍ବୀକାର କରିଥିବା ସାଧାରଣତଃ ବିଶ୍ବାସ କରାଯାଏ । ତେବେ ଏହି ଚିଠିଟିକୁ ଲୁଚାଇରଖି ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପୁଲିସ୍ ଜେଲ୍ ଭିତରେ ଏତେ ତନ୍ନତନ୍ନ କରି ତଦନ୍ତ କରି କଣ ପ୍ରମାଣିତ କରିବାକୁ ଚାହୁଁଛି ?
ସର୍ବୋପରି ଆମ ରାଜ୍ୟ ଓ ବିଶେଷକରି ଆମ ବଲାଙ୍ଗୀର ଜିଲ୍ଲାରେ ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ଜଘନ୍ୟ ନରହତ୍ୟା ମାମଲାଗୁଡିକର ତଦନ୍ତରେ ଗୃହବିଭାଗର ଏପରି କାଳକ୍ଷେପଣ ଓ ଗୋଲକଧନ୍ଦା ସୃଷ୍ଟି କ'ଣ ରାଜନୈତିକ କାରଣକୁ ଇଙ୍ଗିତ କରୁନାହିଁ ?