-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2024
ଲଣ୍ଡନ: ଓଡ଼ିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ (ଓସୁକ) ର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଏହା ମଧ୍ୟରେ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି I ସେମାନେ ସେମାନଙ୍କର ପଦବୀରେ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ଜଣାଯାଇଛି I ନିକଟରେ କାର୍ଡିଫ ଠାରେ ଅନୁଷ୍ଠିତ ଓସୁକର ୪୫ତମ ବାର୍ଷିକ ଅଧିବେଶନ ଅଵସରରେ ଏହି ନୂଆ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ। ମେରାଇନ ଇଂଜିନିୟର ବିଶ୍ୱଜୀତ ପ୍ରଧାନ, ଇଂଲଣ୍ଡରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କର ୪୫ବର୍ଷର ଏହି ସର୍ବୋଚ୍ଚ ସଂଗଠନର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି I ଗତ୧୮ବର୍ଷ ଧରି ବ୍ରିଟେନ ରେ ରହିବା କାଳରେ ଶ୍ରୀ ପ୍ରଧାନ ଏଠାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଏକ ମିଳିତ ଓ ସମନ୍ବିତ ମଞ୍ଚ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବ୍ୟାପକ ପ୍ରୟାସ ଜାରୀ ରଖିଛନ୍ତି। ଆଇ. ଟି. ପରାମର୍ଶଦାତା ସୁକାନ୍ତ ସାହୁ ଓସୁକର ନୂଆ ସାଧାରଣ ସମ୍ପାଦକ ହୋଇଛନ୍ତି। ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ୟୁକେର ଟ୍ରଷ୍ଟି ଆଉଟରିଚ ଭାବରେ ଶ୍ରୀ ସାହୁ ଆନ୍ତର୍ଜାତୀକ ସ୍ତରରେ ଶ୍ରୀ ଜଗନ୍ନାଥ ଧର୍ମର ପ୍ରସାରଣ ଏବଂ ଆଧ୍ୟାତ୍ମିକ ଚେତନାର ଜାଗରଣ ନେଇ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିବା ସାଙ୍ଗକୁ ମାତୃପ୍ରଦେଶ ଓଡ଼ିଶାରେ ଲକ୍ଷେ ନିମ୍ବ ବୃକ୍ଷ ରୋପଣ କରିବାରେ ସଫଳତା ହାସଲ କରିଛନ୍ତି। ନୂତନ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ପଦଭାର ଗ୍ରହଣ କରିଥିବା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ତାଲିକାରେ କୋଷାଧ୍ୟକ୍ଷ ଭାବରେ କିଶୋର ଦାଶ, ସାଂସ୍କୃତିକ ସମ୍ପାଦକ ଭାବେ ଅକ୍ଷିତା ବ୍ରହ୍ମା ଓ ଅନୁଶ୍ରୀ ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ ପଦବୀରେ ମଧୁସ୍ମିତା ଜେନା, ଜର୍ଣ୍ଣାଲ ସମ୍ପାଦକ ଭାବେ ଡ଼ଃ ରାଜିନ୍ଦର ସିଂହ, ଆଇଟି ସମ୍ପାଦକ ରୂପେ ବିଶାଳ ମାୟୋ, ଯୁବ ବ୍ୟାପାର (ବାଳିକା)ର ସମ୍ପାଦକ ଭାବେ ଆଶ୍ରୀୟା ଫର୍ଣ୍ଣାଣ୍ଡୋ,ଯୁବ ବ୍ୟାପାର (ବାଳକ)ର ସମ୍ପାଦକ ଭାବେ ପ୍ରୀୟେସ ଫର୍ଣ୍ଣାଣ୍ଡୋ ଓ ଅଡିଟର ପଦବୀରେ ରିଆ ଜେନା ପ୍ରମୁଖ ଙ୍କର ନାମ ସ୍ଥାନ ପାଇଛି। ଦାୟିତ୍ୱ ଗ୍ରହଣ କରିଥିବା ତିନି ସଦସ୍ୟ ବିଶିଷ୍ଟ ନୂଆ ଉପଦେଷ୍ଟା ମଣ୍ତଳୀରେ ଡ଼ଃ ଶିଲା ଦାସ, ସୁଶ୍ରୀ ୱେଲସ ଏବଂ ଡ଼ଃ ଆଦିତ୍ୟ ସିଂହ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।
ସୁନ୍ଦର ଓ ସୁରମ୍ୟ କାର୍ଡିଫ ସମୁଦ୍ର ତଟଠାରେ ଆୟୋଜିତ ଏହି ଦୁଇଦିନିଆ ଶୀର୍ଷ ସମ୍ମିଳନୀକୁ କେନ୍ଦ୍ର କରି ଓସୁକ ସଦସ୍ୟ ମାନଙ୍କ ମଧ୍ୟରେ ଅପାର ଆନନ୍ଦ, ଅସୀମ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଇଂଲଣ୍ଡର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଆସି ଏହି ମହା ସମାବେଶରେ ବଢିଚଢ଼ି କରି ଭାଗ ନେଇଥିବା ଦେଖା ଯାଇଥିଲା। ପେନାର୍ଥ ଠାରେ ଅବସ୍ଥିତ ସମ୍ମିଳନୀ କକ୍ଷକୁ ଖୁବ ଆକର୍ଷଣୀୟ ଭାବେ ସଜ୍ଜା ଯାଇ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଅଧୀବେଶନରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ଉଚ୍ଚ ପରମ୍ପରାର ପରାକାଷ୍ଠାକୁ ପାରଦର୍ଶୀ ଢଙ୍ଗରେ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା।
ସମାବେଶର ସ୍ୱତନ୍ତ୍ର ଆକର୍ଷଣ ଓଡ଼ିଶା ଓ ୟୁକେର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା ଉପସ୍ଥାପିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସାଥି ମାନଙ୍କ ଦ୍ଵାରା ପରିବେଷିତ ଶୁଦ୍ଧ ଓଡିଶୀ ଏବଂ ଫିଉଜନ ନୃତ୍ୟ ସଂରଚନା ବେଶ ଉଚ୍ଚକୋଟୀର ଥିଲା ଏବଂ ଦର୍ଶକ ମାନଙ୍କୁ ଅଭିଭୂତ କରିଦେଇଥିଲା। ୱେଲସ ଡ୍ରାମା ଗ୍ରୁପ ଦ୍ଵାରା ମଞ୍ଚସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ଜୀବନୀ ଉପରେ ଆଧାରିତ ନାଟକ "ପତିତପାବନ" ରେ କଳାକାର ମାନଙ୍କର ଅଭିନୟ ଖୁବ ନିଖୁଣ ଓ ଜୀବନ୍ତ ଥିଲା। ଓସୁକ ସଦସ୍ୟବୃନ୍ଦ ଏବଂ ସେମାନଙ୍କର ପିଲା ମାନଙ୍କଦ୍ଵାରା ପ୍ରସ୍ତୁତ ନୃତ୍ୟ, ସଂଗୀତ ଓ ବାଦ୍ୟଯନ୍ତ୍ର ବାଜଣା ମଧ୍ୟ ଦେଖଣାହାରୀ ମାନଙ୍କ ଦ୍ୱାରା ବ୍ୟାପକ ଭାବେ ଆଦୃତ ହୋଇଥିଲା। ଡ଼ଃ ରମେଶ ରାଉତରାୟଙ୍କ ଦ୍ଵାରା ସ୍ୱର୍ଗତଃ ଡ଼ଃ ବିଷ୍ଣୁ ରାଉତରାୟଙ୍କର ଅମର ସ୍ମୃତି ଉଦ୍ଦେଶ୍ୟରେ ପରିକଳ୍ପିତ ହାସ୍ୟ ନାଟୀକା "ପାନ ଦୋକାନ",ଦର୍ଶକମାନଙ୍କୁ ହସାଇ ମଜ୍ଜାଇ ଖୁବ ମନୋରଞ୍ଜନ କରିଥିବା ନଜରକୁ ଆସିଥିଲା। ସମ୍ମିଳନୀର ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ , କ୍ରିକେଟ, ବାଡମିଣ୍ଟନ, ପୁଚି ଏବଂ ଅନ୍ତାକ୍ଷରୀ ଆଦି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଦୁର୍ଗେଶ ନନ୍ଦିନୀ ମିଶ୍ର ଏବଂ ଅକ୍ଷିତା ବ୍ରହ୍ମା ସୁଚାରୁ ରୂପେ ସଂଯୋଜନା କରିଥିଲେ। କ୍ରମାଗତ ଭାବରେ ତୃତୀୟ ବର୍ଷ ପାଇଁ ଓସୁକର ବାର୍ଷିକ ଅଧିବେଶନର ଆୟୋଜନ ନେଇ ଦୁବାଇ ସ୍ଥିତ ସେରୋ ପ୍ରପଟିଜ ଆଂଶିକ ଭାବରେ ସହାୟତା ପ୍ରଦାନ କରିଥିଲା। ସମ୍ପୂର୍ଣ୍ଣ ଅଧିବେଶନକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ସାଙ୍ଗଠାନିକ କମିଟିର ସଦସ୍ୟ ବୃନ୍ଦ ଯଥା ଅଧ୍ୟକ୍ଷା ଡ଼ଃ ନିଶେବିତା ଦାସ ,ସଦସ୍ୟ ଅନୁଶ୍ରୀ ପଟ୍ଟନାୟକ, ଡ଼ଃ ଆଦିତ୍ୟ ସିଂହ,କ୍ଷୀତିଶ ମହାନ୍ତି, ସ୍ନେହାଶୀଷ ତ୍ରିପାଠୀ, ଆଦ୍ୟାଶା ମଲ୍ଲିକ,ସୁଚିତ୍ରା ଦାସମହାପାତ୍ର ଏବଂ ସାଗ୍ନିକା ଶତପଥୀ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।