-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ନଗର ପରିକ୍ରମା କରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପରେ ଦେବଦେବ ମହାଦେବ ଜଗତ୍ଜନନୀ ମାତା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି I ଏଥି ସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ବଲପୁରର ସୁପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମାପନ ହୋଇଛି I ଶୁକ୍ରବାର ସନ୍ଧ୍ୟାରେ ବିଶ୍ବନିୟନ୍ତା ମହାଦେବ ନବବିବାହିତା ଦେବୀ ପାର୍ବତୀଙ୍କ ସହ ନଗର ପରିକ୍ରମା ଶେଷ କରି ନିଜ ମନ୍ଦିରରେ ପହଞ୍ଚିଥିଲେ I ନନ୍ଦପଡ଼ାର ବ˚ ବରାଡ଼ ବାଲୁ˚କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା ଏବଂ ବୁଢ଼ାରଜାର ପାହାଡ଼େଶ୍ବର ବାବା ନିଜ ନିଜ ମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ରୀତିନୀତି କରାଯାଇଥିଲା।ମଙ୍ଗଳ ଆଳତି, ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପରେ ରାତି ସୁଦ୍ଧା ଠାକୁରମାନଙ୍କ ଗର୍ଭଗୃହ ପ୍ରବେଶ ହୋଇଥିଲା I ଦିନକୁ ଦିନ ଶୀତଳଷଷ୍ଠୀ ଯାତ୍ରାର ରୂପରଂଗ ବଦଳୁଥିବାବେଳେ ଏଥର ବି ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ଗୋଟିଏ ରାତି ଓ ଗୋଟିଏ ଦିନ ଧରି ଚାଲିଥିବା ବିଭିନ୍ନ ପଡ଼ାର ଏହି ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇ ଯାତ୍ରାକୁ ଉପଭୋଗ କରିବା ସହ ଭକ୍ତିଭାବରେ ଲୀନ ହୋଇଥିଲେ I ଶୁକ୍ରବାର ଦିନ ତମାମ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମ ସତ୍ତ୍ବେ ଯାତ୍ରାରେ ବିପୁଳ ଜନ ସମାଗମ ହୋଇଥିଲା। ସହରର ସମସ୍ତ ରାସ୍ତା ଲୋକାରଣ୍ୟ ହୋଇ ଉଠିଥିଲା। ୬ଟି ପଡ଼ାର ଶୋଭାଯାତ୍ରାରେ ଭାଗ ନେଇଥିବା ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୦ ହଜାର କଳାକାର ଗୁରୁବାର ରାତି ସାରା ଓ ସକାଳେ କିଛି ଘଣ୍ଟାର ବିଶ୍ରାମ ପରେ ଶୁକ୍ରବାର ଦିନସାରା ନୃତ୍ୟ, ଗୀତ ପରିବେଷଣ କରିଥିଲେ।
ଶତାଧିକ ପ୍ରକାରର ଲୁପ୍ତପ୍ରାୟ କଳା, ଲୋକ ବାଦ୍ୟ ଓ ନୃତ୍ୟ, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ସ˚ଗୀତରେ ସମୃଦ୍ଧ ଏହି ସା˚ସ୍କୃତିକ ଏକତାର ଯାତ୍ରା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳା ଓ କଳାକାରଙ୍କୁ ଏକାକାର କରି ଦେଇଥିଲା। ପୌରାଣିକ, ଧାର୍ମିକ, ଆଧୢାତ୍ମିକ, ଐତିହାସିକ, ଆଧୁନିକ ତଥା ସା˚ପ୍ରତିକ ବିଷୟବସ୍ତୁକୁ ନେଇ ବିଭିନ୍ନ ପଡ଼ା ପକ୍ଷରୁ କରାଯାଇଥିବା ପ୍ରଜ୍ଞାପନ ମେଢ଼ ସାମାଜିକ ସଚେତନତାର ବାର୍ତ୍ତା ଦେଇଥିଲା।ମେଳା ଓ ମିନାବଜାର ଆଦିରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଟ୍ରାଫିକ୍ କଟକଣା ଲାଗୁ ହୋଇ ସହରକୁ ଯାନବାହନ ପ୍ରବେଶ ନିଷେଧ କରା ଯାଇଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସ˚ଗଠନ ଓ ଅନୁଷ୍ଠାନ ମାନେ ଦର୍ଶକଙ୍କୁ ଥଣ୍ତା ପାଣି, ଦହି ସରବତ, ଗ୍ଲୁକୋଜ ପାଣି, ଜଳଜିରା, ଚୁଡ଼ା, ସୁଜି ହଲୁଆ, ଖେଚୁଡ଼ି, ପୁରି, ତରକାରୀ ଆଦି ବାଣ୍ଟିବା ସହ ଅନ୍ୟାନ୍ୟ ସେବା ଯୋଗାଇଥିଲେ। ବିଭିନ୍ନ ସ୍ଥାନରେ ହୋଇଥିବା ତମ୍ବୁରେ ଡାକ୍ତରୀ ଟିମ୍ ଉପସ୍ଥିତ ରହି ଦର୍ଶକଙ୍କୁ ଆଶୁଚିକିତ୍ସା ଯୋଗାଇ ଦେଇଥିଲେ। କୌଣସି ପ୍ରକାର ଅଘଟଣ ବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୁଲିସ୍, ଆମ୍ବୁଲାନ୍ସ, ଦମକଳ ବିଭାଗ ପ୍ରମୁଖ ସଜାଗ ରହିଥିଲେ।