-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ବଲାଙ୍ଗିର (ପ୍ରେରଣା ଖବର )
ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଡାହାଣୀ ସନ୍ଦେହରେ ହତ୍ୟା ,ନିର୍ଯ୍ୟାତନା ନିଷେଧକ ଆଇନ -୨୦୧୩ ର କାର୍ଯ୍ୟକାରିତା ସମ୍ପର୍କିତ ଏକ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଉଦବୋଧନ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ କହିଥିଲେ ଯେ ଏକବିଂଶ ଶତାବ୍ଦୀର ବିକାଶଶୀଳ ଦେଶ ଭାରତରେ ଡାହାଣୀ ସନ୍ଦେହ କରି ସ୍ତ୍ରୀଲୋକମାନଙ୍କ ଉପରେ ନାନା ରକମର ଅତ୍ୟାଚାର ଓ ସାମୁହିକ ଆକ୍ରମଣ ତଥା ହତ୍ୟାକାଣ୍ଡ ଏକ କଳଙ୍କ । ଏହି କଳଙ୍କିତ ବିଷୟକୁ ଦୂର କରିବାକୁ ସରକାର ଡାହାଣୀ ସନ୍ଦେହରେ ହତ୍ୟା ନିଷେଧକ ଆଇନ ୨୦୧୩ ପ୍ରଣୟନ କରିଛନ୍ତି। ଏହି ଆଇନ ସଂପର୍କ ରେ ସାମାଜିକ ସଚେତନତା ଯେତିକି ଆବଶ୍ୟକ, ତାଠାରୁ ସମାଜରେ ନାରୀ ଶିକ୍ଷାର ଉନ୍ନତି,ସଂସ୍କାର ଓ ସାମାଜିକ ସଚେତନତା ବେଶୀ ଜରୁରୀ । ସାମାଜିକ ଜୀବନରେ ନାରୀକୁ ତାର ପ୍ରକୃତ ସମ୍ମାନ ପ୍ରଦାନ ସହ ଅଶିକ୍ଷା ,କୁସଂସ୍କାର ର ଦୂର କରାଯାଇପାରିଲେ ଡାହାଣୀ ସନ୍ଦେହ ହେବନାହିଁ ଓ ନାରୀ ନିର୍ଯାତନା ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ । କର୍ମଶାଳାରେ ଡିଏସପି ଲକ୍ଷ୍ମୀ ନାରାୟଣ ମାରାଣ୍ଡି , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତୁଷାରକାନ୍ତ ଠାକୁର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ପ୍ରମୁଖ ଯୋଗଦେଇ ଡାହାଣୀ ସନ୍ଦେହ ଭଳି ଏକ କଳଙ୍କିତ ବିଷୟ କୁ ସମାଜରୁ ଦୂର କରିବା ନିମନ୍ତେ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ସହ ଏ ସମ୍ପର୍କିତ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ । କର୍ମଶାଳାରେ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ରିସୋର୍ସ ପାର୍ସନ ଭାବେ ଯୋଗଦେଇ ସାମାଜିକ ଦିଗ ଓ ସମାଜ, ଶିକ୍ଷା ତଥା ଏ ସମ୍ପର୍କରେ ଥିବା ଅନ୍ଧବିଶ୍ଵାସ ସଂପର୍କ ରେ ସମସ୍ତଙ୍କୁ ବୁଝାଇଥିବା ବେଳେ ଡାହାଣୀ ସନ୍ଦେହରେ ହତ୍ୟା ନିଷେଧକ ଆଇନ ୨୦୧୩ ରେ ଥିବା ବିଭିନ୍ନ ଆଇନଗତ ପ୍ରାବଧାନ ସଂପର୍କ ରେ ରିସୋର୍ସ ପାର୍ସନ ଭାବେ ଉପସ୍ଥିତ ଥିବା ନନ୍ଦକିଶୋର ଷାଣ୍ଢ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରି ସବିଶେଷ ବୁଝାଇଥିଲେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ସେମାନେ ଗୁରୁତ୍ଵ ପ୍ରଦାନ କରିବା ସହ ଗ୍ରାମ ର ମୁଖିଆ ,ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ,ନାଗରିକ କମିଟି ,ମହିଳା ସଂଗଠନ ,ଯୁବକ ସଂଘ ଆଦି ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରମା ସେଠୀ ଡାହାଣୀ ସନ୍ଦେହରେ ହତ୍ୟା ନିଷେଧକ ଆଇନ ୨୦୧୩ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି କାର୍ମଶାଳା ପରିଚାଳନା କରିଥିଲେ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଶୁଭଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।