-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
30-Apr-2024
ବଲାଙ୍ଗୀର/ଟିଟିଲାଗଡ଼ (ପ୍ରେରଣା ଖବର )ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି । ମୁଖ୍ୟତଃ ଟିଟିଲାଗଡର ଶାସକ ଦଳ ଓ ପ୍ରତିପକ୍ଷ ଭାଜପା ଦଳ ମଧ୍ୟରେ ହିଂସା କରାଯାଉଥିବା ନେଇ ଆରୋପ ପ୍ରତ୍ୟାରୋପ କରାଯାଇଛି । ଏନେଇ ଥାନାଠୁ ଆରମ୍ଭ କରି ନିର୍ବାଚନ କମିଶନ ପର୍ଯ୍ୟନ୍ତ କଥା ପହଞ୍ଚିଲାଣି । କିନ୍ତୁ ପ୍ରଶାସନର ନୀରବତା ଏହି ନିର୍ବାଚନୀ ହିଂସାକୁ ବଢାଇଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିଦଳର ହେଭିୱେଟ ନେତ୍ରୀ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁ ବିଜେଡିରୁ ପ୍ରାର୍ଥି ହୋଇଥିବା ବେଳେ ବିଜେପିରୁ ଟିଟିଲାଗଡ ପୌରାଧ୍ୟକ୍ଷା ଥିବା ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ ପ୍ରାର୍ଥି ହୋଇଛନ୍ତି । ଗତ ପୌର ନିର୍ବାଚନରେ ମମତା ଜୈନ ବିଜେପି ଦଳରୁ ପୌର ନିର୍ବାଚନ ଲଢି ବିଜେଡିଦଳକୁ ପରାସ୍ତ କରିଦେଇ ଥିଲେ । ଫଳରେ ସେହିଦିନରୁ ଉଭୟ ବିଜେଡି ଓ ବିଜେପିଦଳ ମଧ୍ୟରେ ବିଦ୍ୱେଷ ବଢିଚାଲିଛି । ଗତ ଗୋଟିଏ ବର୍ଷହେଲା ନବୀନ ଜୈନ ଏହି ନିର୍ବାଚନମଣ୍ଡଳିରେ ସଂଗଠନ ବଢାଇ ଲୋକସମ୍ପର୍କ ରଖୁ ଆସୁଛନ୍ତି । ଏହା ସହିତ ମୋଦୀ ହାୱା ମଧ୍ୟ ରହିଛି । ସେହି ଦୃଷ୍ଟିରୁ ଚଳିତଥର ନବୀନ ଜୈନ ବିଜେପି ବିଧାୟକ ପ୍ରାର୍ଥି ହେଲାପରେ ବିଜେଡିଦଳ ଓ ବିଜେପି ମଧ୍ୟରେ ନିର୍ବାଚନରେ କଡାଟକ୍କର ହେବ ବୋଲି ଆକଳନ କରାଯାଉଛି । ମୁଖ୍ୟତଃ ମନ୍ତ୍ରୀ ଟୁକୁନୀ ସାହୁ ଗତ ଦୁଇଥର ହେଲା ଟିଟିଲାଗଡ ନିର୍ବାଚନ ମଣ୍ଡଳିର ବିଧାୟିକା ରହିଛନ୍ତି । ତାଙ୍କର କିଛି ସମର୍ଥକଙ୍କ କାର୍ଯ୍ୟକଳାପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେହି କାରଣରୁ ତାଙ୍କର ଆଣ୍ଟିଇନକମବେନ୍ସୀ ଫେକ୍ଟରକୁ ନେଇ ନବୀନ ନିର୍ବାଚନରେ ବାଜି ମାରିନେବେ ବୋଲି ଆଶା ରଖିଛନ୍ତି । ସେପଟେ କିନ୍ତୁ ବିଜେଡିଦଳ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କୁ ବିଜେଡିଦଳକୁ ଆଣି ସାଂସଦ ପ୍ରାର୍ଥି କରିଛି । ଫଳରେ ବିଜେଡିର ସ୍ଥିତିରେ ପରିବର୍ତ୍ତନ ଆସିଛି । ତେବେ ଉଭୟ ବିଜେଡି ଓ ବିଜେପି ଦଳ ମଧ୍ୟରେ ବିଦ୍ୱେଷ ବଢି ହିଂସାର ରୂପ ନେଉଛି । ଗତ କିଛିଦିନ ତଳେ ବିଜେପିଦଳର ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ବ୍ୟାଙ୍କ ଛକରେ ବିଜେଡି ଦଳର କିଛି ଗୁଣ୍ଡାଶ୍ରେଣୀୟ ଯୁବକ ଗତଥର ବିଜେପିର ପ୍ରାର୍ଥି ହୋଇଥିବା ଗୁଡଭେଲାର ଅଶୋକ ଦୋରା ଓ ଆଉଜଣେ ବିଜେପିନେତା ରାସ୍ତାଉପରେ ଅଟକାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଧମକ ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଯୁବକମାନେ ଧମକ ଦେଇଥିଲେ ସେମାନେ ହିଁ ଅଶୋକକୁ ଭୟଭିତ କରୁଥିବା ଭିଡିଓକୁ ଭାଇରାଲ କରି ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଉଥିଲେ । ଏନେଇ ବିଜେପିପ୍ରାର୍ଥି ନବୀନ ଜୈନ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ପ୍ରଶାସନ କିଛି ମଧ୍ୟ ପଦକ୍ଷେପ ନେଲା ନାହିଁ । ଏହାର ଦୁଇଦିନ ପରେ ଗୁଡଭେଲା ବ୍ଲକର ଜିଲ୍ଲାପରିଷଦ ସଭ୍ୟ ଥିବା ରାମନିବାସ ଅଗ୍ରୱାଲଙ୍କ ଘରକୁ କିଛି ବିଜେପି ସମର୍ଥକ ଟେକାପଥର ମାଡ କରି ଭୟଭିତ କରାଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି । ବିଜେପିଦଳର ସମର୍ଥକ ରୋହିତ ବାଗ ଓ ପୃଥ୍ୱୀରାଜ ବାଗ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ସବୁଠୁ ବଳିଯାଇଛି ସୋମବାରଦିନର ଘଟଣା । ସୋମବାର ଦିନ ବିଜେପି ପ୍ରାର୍ଥି ନବୀନ ଜୈନ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାୟ ୧୫ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ରାଲିକରି ତାଙ୍କର ଶକ୍ତିପ୍ରଦର୍ଶନ କରିଥିଲେ । କିନ୍ତୁ ସେପଟେ ତାଙ୍କ ଘରେ ଏକ ଅଘଟଣ ଘଟିଥିଲା । ଚୁଡାମନୀ ଭରାସାଗର କିଛି ଯୁବକ ମାତାଲ ଅବସ୍ଥାରେ ପହଞ୍ଚି ନାମାଙ୍କନ ପ୍ରତ୍ୟାହାର କରିବାକୁ କୁଆଡେ ଧମକ ଦେଇ ଗାଳିଗୁଲଜ କରି ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏନେଇ ନବୀନ ଜୈନଙ୍କ ପତ୍ନୀ ମମତା ଜୈନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅପରପକ୍ଷର ଯୁବକମାନେ ମଧ୍ୟ ସେମାନଙ୍କୁ ଜାତିଆଣ ଅକ୍ଷେପ କରି ନିବୀନ ଜୈନ ଓ ତାଙ୍କ ପୁଅ ଗାଳିଗୁଲଜ କରି ଘରୁ ତଡିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ହୋଇଥିବା ଏତଲାକୁ ଭିତ୍ତିକରି ଟିଟିଲାଗଡ ପୋଲିସ ଦୁଇଟି ମାମଲା ରହୁ କରି ତଦନ୍ତ କରୁଥିବା ଜଣାଯାଇଛି । ତେବେ ଏନେଇ ବିଜେପିପ୍ରାର୍ଥି ନବୀନ ଜୈନଙ୍କୁ ପଚାରିବାରୁ କହିଛନ୍ତି ଯେ,ଶାସକଦଳକୁ ହାରିବାର ଭୟ ରହିଛି । ଗତକାଲିର ବିଶାଳ ଶୋଭାଯାତ୍ରା ଦେଖି ମନ୍ତ୍ରୀ ଭୟଭିତ ହୋଇଯାଇଛନ୍ତି । ତେଣୁ ବିଭିନ୍ନ ସମୟରେ ମୋତେ ଭୟଭିତ କରିବାକୁ ତାଙ୍କ ଲୋକମାନଙ୍କୁ ଓ ପ୍ରଶାସନକୁ ଲଗାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଭୟଭିତ ହେବେ ନାହିଁ ନିର୍ବାଚନ ପ୍ରଚାରକୁ ଯୋର ଧରାଇବେ ବୋଲି କହିଛନ୍ତି । ସେପଟେ ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁଙ୍କୁ ପଚାରିବାରୁ ନବୀନ ଜୈନ ଓ ମମତା ଜୈନଙ୍କ କଥାବାର୍ତ୍ତାରେ ଶାଳୀନତା ନାହିଁ । ତେଣୁ ବହୁତ ସମୟରେ ଲୋକଙ୍କ ସହ ତାଙ୍କର ଝଗଡା ହେଉଛି । ଗତକାଲିର ବିଷୟରେ ମୁଁ ଜାଣିନାହିଁ କିନ୍ତୁ ଆମେ କୌଣସ ଝଗଡା କରାଉନାହୁଁ ବୋଲି ଟୁକୁନୀ ସାହୁ କହିଛନ୍ତି । ତେବେ ନିର୍ବାଚନକମିଶନ ଓ ପ୍ରଶାସନ ନୀରପେକ୍ଷ ନିର୍ବାଚନ ପରିଚାଳନା କରିବା ନେଇ ଯେଉଁପ୍ରତିଶୃତି ଦେଉଛି ତାହା କେତେପୂରଣ ହେବ ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି ।